୫ ଜିଲାର ୮.୩୦ ଲକ୍ଷ ଲୋକଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ବସୁଧା, ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭ୍‌ଲପମେଣ୍ଟ କର୍ପୋରେଶନ(ଓମ୍ବାଡାକ) ଏବଂ ଜାତୀୟ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଯୋଜନାରେ ୫ ଜିଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା ୮,୩୦, ୩୯୧ ଲୋକଙ୍କୁ ରାଜ୍ୟ ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପାଇଁ ଚୂଡାନ୍ତ ହୋଇଥିବା ୧୩୨୪.୮୩ କୋଟି ଟଙ୍କାର ଟେଣ୍ଡରକୁ ସୋମବାର ରାଜ୍ୟ କ୍ୟାବିନେଟ୍‌ ମୋହର ମାରିଛି। ଭୂତଳ ଜଳ ଖଣି ଦ୍ୱାରା ପ୍ରଭାବିତ ହେଉଥିବା ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ୩ଟି ବ୍ଲକ ଅନ୍ତର୍ଗତ ୩୮୪ଟି ଗ୍ରାମକୁ ୪ଟି ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯିବ। ୩ଟି ବ୍ଲକ ଅଧୀନରେ ଥିବା ୬୩ଟି ପଞ୍ଚାୟତର ୩୮୪ଟି ଗ୍ରାମରେ ବାସ କରୁଥିବା ୩,୨୦,୫୮୪ ଜଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏହା ଦ୍ୱାରା ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନରେ ଥିବା ୨୦ଟି ପଞ୍ଚାୟତର ୭୧ଟି ଗ୍ରାମର ୧,୦୧,୦୬୮, କେନ୍ଦୁଝର ଜିଲାର ହାଟଡିହି ବ୍ଲକ ଅନ୍ତର୍ଗତ ୨୯ଟି ପଞ୍ଚାୟତ ଅଧୀନରେ ଥିବା ୨୦୦ ଗ୍ରାମର ୧,୨୬,୬୩୩ ଓ ମୟୂରଭଞ୍ଜ ଜିଲାର କୁସୁମି ବ୍ଲକ ଅନ୍ତର୍ଗତ ୧୪ ପଞ୍ଚାୟତର ୧୧୩ ଗ୍ରାମର ୯୨,୮୮୩ ଜନସାଧାରଣ ଉପକୃତ ହୋଇପାରିବେ। ଉକ୍ତ ୪ଟି ପ୍ରକଳ୍ପ ପାଇଁ ୬୪୧ କୋଟି ୫୭ ଲକ୍ଷ ଟଙ୍କାର ଟେଣ୍ଡରକୁ ଅନୁମୋଦନ କରାଯାଇଛି। ଉକ୍ତ ପ୍ରକଳ୍ପ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ସେହିପରି ବସୁଧା ଯୋଜନାରେ ଢେଙ୍କାନାଳ ଜିଲାର ୨ଟି ଜଳ ଯୋଗାଣ ପ୍ରକଳ୍ପ ପାଇଁ ଡକାଯାଇଥିବା ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ଏହି ଦୁଇଟି ପ୍ରକଳ୍ପ ଦ୍ୱାରା ଜିଲାର ୨ଟି ବ୍ଲକ ଅଧୀନରେ ଥିବା ୬୩ଟି ପଞ୍ଚାୟତ ଅନ୍ତର୍ଗତ ୩୧୭ଟି ଗ୍ରାମର ୩,୧୭,୯୧୪ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ୩୪୯.୩୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
ସେହିପରି ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ (ଏନ୍‌ଆର୍‌ଡିଡବ୍ଲ୍ୟୁପି) ଯୋଜନାରେ ଦେବଗଡ଼ ଜିଲାର ଦୁଇଟି ବ୍ଲକ ଅଧୀନରେ ଥିବା ୩୮ ଗ୍ରାମପଞ୍ଚାୟତର ୪୩୨ଟି ଗ୍ରାମରେ ରହୁଥିବା ୧,୯୧,୮୯୩ ଜଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ବାରକୋଟ ବ୍ଲକ ଅନ୍ତର୍ଗତ ୨୧୬ ଗ୍ରାମର ୧,୦୦,୨୨୫ ଏବଂ ରିଆମାଳ ବ୍ଲକ୍‌ ଅନ୍ତର୍ଗତ ୨୧୬ ଗ୍ରାମର ୯୧,୬୬୮ ଜଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ୩୩୩ କୋଟି ୮୮ଲକ୍ଷ ଟଙ୍କାର ଟେଣ୍ଡର ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛି।

Share