କରୋନା କଟକଣା: ୫ ଜିଲା ସହ ୮ ସହରରେ ଲକ୍‌ଡାଉନ୍‌

ଭୁବନେଶ୍ୱର,୨୩।୩(ବ୍ୟୁରୋ): ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି ଘାତକ ଭୂତାଣୁ ଦମନ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ ଥିବା ବେଳେ ସତର୍କତା ଏବଂ ସଚେତନତା ଏହାର ଏକମାତ୍ର ମହୌଷଧି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି। ରବିବାର ଜନତା କର୍ଫ୍ୟୁ ପାଳନ କରାଯାଇଥିବା ବେଳେ ସୋମବାରଠାରୁ ରାଜ୍ୟର ୫ ଜିଲା ଏବଂ ୮ଟି ସହରରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ସଂକ୍ରମଣକୁ ରୋକିବା ପାଇଁ ସପ୍ତାହେ ବ୍ୟାପୀ ୫ ଜିଲା ଏବଂ ୮ ସହରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।
ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରପଡ଼ା ଓ ଅନୁଗୋଳ ଜିଲାର ସମସ୍ତ ଗାଁ ଓ ସହର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଭୁବନେଶ୍ବର ସମେତ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ଟାଉନ ଓ ଯାଜପୁର ରୋଡ୍‌ ଏସବୁ ସହରକୁ ମଧ୍ୟ ୭ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ୍‌ ସମୟରେ ଆତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ ସମସ୍ତ ବନ୍ଦ ରହିବ। ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍‌, ମ୍ୟୁନିସିପାଲିଟି, ଥାନା, ଅଗ୍ନିଶମ ସେବା, ଓଡ୍ରାଫ, ବିଦ୍ୟୁତ ସେବା ଆଦି ଚାଲୁ ରହିବ। ସେହିପରି ଆଜିଠାରୁ ରାଜ୍ୟ ସରକାର ଆନ୍ତଃରାଜ୍ୟ ବସ ଚଳାଚଳକୁ ବନ୍ଦ କରିଛନ୍ତି। ଲକ୍‌ଡାଉନକୁ ଦୃଷ୍ଟିରେ ରଖି ଆଜି ଠାରୁ କୌଣସି ବସ୍‌ ବାହାର ରାଜ୍ୟକୁ ଗଡ଼ିବ ନାହିଁ କିମ୍ବା ବାହାର ରାଜ୍ୟରୁ ଓଡ଼ିଶାକୁ କୌଣସି ଗାଡ଼ି ପ୍ରବେଶ କରିବ ନାହିଁ ବୋଲି ଘୋଷଣା କରାଯାଇଛି।

Share