‘୫-ଟି’କୁ କଟାକ୍ଷ କଲେ ସୁର: କହିଲେ ‘ଟି ନା ଚା’

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟବାସୀଙ୍କୁ ସୁଶାସନ ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘୫-ଟି’ କାର୍ଯ୍ୟକ୍ରମକୁ ବିଭିନ୍ନ ସମୟରେ ବିରୋଧୀ ଦଳ ପକ୍ଷରୁ ସମାଲୋଚନା କରାଯାଉଛି। ପ୍ରଥମେ ଭାଜପା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଗୁରୁବାର ଏହାକୁ କଟାକ୍ଷ କରିବା ପରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ ‘ଟି ନା ଚା’ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ରୋଗୀ ପଡ଼ିଛନ୍ତି। ଏହାପ୍ରତି କାହାର ନଜର ପଡ଼ୁନାହିଁ। ହସ୍ପିଟାଲରେ ବେଡ୍‌ ନାହିଁ। ରୋଗୀ ତଳେ ଗଡ଼ୁଛନ୍ତି। ଆଗ ରାଜଧାନୀର ଅବସ୍ଥା ଦେଖ। ଏଠାରେ ମନ୍ତ୍ରୀଙ୍କ ମର୍ଯ୍ୟାଦାହାନୀ ହେଉଛି। ମନ୍ତ୍ରୀ ପ୍ରଚାରରେ ଥିଲେ, ସିଡିଏମ୍‌ଓ ସସ୍‌ପେଣ୍ଡ କରାଗଲା। ମନ୍ତ୍ରୀ ଭୋଟ କାଉଣ୍ଟିଂରେ ଅଛନ୍ତି, ସସ୍‌ପେଣ୍ଡ ଉଠିଗଲା। କ’ଣ ଚାଲିଛି ଏଠି। ଏ କି ପାଗଳାମୀ ଶାସନ। ଏଠି ଅଫିସରଙ୍କ ଜରିଆରେ ସବୁ ହେଉଛି ବୋଲି ସୁର କଟାକ୍ଷ କରି କହିଛନ୍ତି।

ପ୍ରକାଶଯୋଗ୍ୟ, ରେଳବାଇ ଷ୍ଟାଡିୟମରେ ଆୟୋଜିତ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅପରାଜିତା‘୫-ଟି’ କଟାକ୍ଷ କରି କହଥିଲେ, ଏହା ଏକ ଅଭିନବ ପଦକ୍ଷେପ ନୁହେଁ। ଏହା ବହୁତ ପୁରୁଣା କଥା। ଶାସନର ୨୦ବର୍ଷ ପରେ ଏହାକୁ କାହିଁକି ଅଣାଗଲା। ଏହି ୨୦ ବର୍ଷ ଶାସନରେ କ’ଣ ୫-ଟି ସରକାରରେ ନ ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ଏହାକୁ ଅଲଗା ବିଭାଗ କରି ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେବା ଠିକ୍‌ ନୁହେଁ। ଏହାଦ୍ୱାରା ଅନ୍ୟ ବିଭାଗଗୁଡ଼ିକ ଦୁର୍ବଳ ହୋଇଯିବ। ଆଇଏଏସ୍‌ ପ୍ରଶିକ୍ଷଣ ସମୟରେ ୫-ଟି ସମ୍ପର୍କରେ ପାଠ ପଢ଼ାଯାଇଥାଏ। ଏଣୁ ଏହା ସୁଶାସନ ନୁହେଁ ବରଂ ଏହା ମନ୍ତ୍ରୀ ଏବଂ ସଚିବଙ୍କ ଗାରିମା ଉପରେ ପ୍ରଶ୍ନ ବୋଲି କହିବା ସହ ରାଜ୍ୟ ସରକାରଙ୍କ ଏହି ଯୋଜନା ସୁଶାସନ ଆଣିପାରିବ ବୋଲି ସେ ଭାବୁ ନ ଥିବା କହିଥିଲେ।

Share