୫-ଟି ଆଧାରରେ ତ୍ୱରାନ୍ବିତ ହେବ ସୂଚନା, ଲୋକସମ୍ପର୍କ ବିଭାଗ କାର୍ଯ୍ୟାବଳୀ: ଡିଜିଟାଇଜ୍‌ ହେବ ଫଟୋ, ଚଳଚ୍ଚିତ୍ର

ଭୁବନେଶ୍ୱର, ୮।୧(ବ୍ୟୁରୋ):ସୂଚନା ଓ ଲୋକସମ୍ପର୍କ ବିଭାଗର କାର୍ଯ୍ୟାବଳୀକୁ ୫-ଟି ଆଧାରରେ ତ୍ୱରାନ୍ବିତ କରାଯିବ। ଏହା ଦ୍ୱାରା ବିଭାଗ ଆଗାମୀ ଦିନରେ ଲୋକପ୍ରିୟତା ହାସଲ କରିବ। ତେଣୁ ପ୍ରତ୍ୟେକ କାର୍ଯ୍ୟରେ ୫-ଟିର ପ୍ରୟୋଗ ପାଇଁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ନିର୍ଦ୍ଦେଶ ଦେଇଛନ୍ତି।
ଲୋକସେବା ଭବନ ପରିସରରେ ଥିବା ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମନ୍ତ୍ରୀ କହିଥିଲେ ଯେ, ବିଭାଗରେ ବହୁବର୍ଷରୁ ସଂରକ୍ଷିତ ଥିବା ଫଟୋଗ୍ରାଫ୍‌ ଓ ଚଳଚ୍ଚିତ୍ରଗୁଡ଼ିକୁ ଡିଜିଟାଇଜ୍‌ କରି ଭବିଷ୍ୟତ ପାଇଁ ସୁରକ୍ଷିତ କରି ରଖାଯିବା ଜରୁରୀ। ତେଣୁ ଡିଜିଟାଲ ଆର୍କାଇଭିଂ ଉପରେ ଗୁରୁତ୍ୱାରୋପ କରାଯିବ। ଦିଲ୍ଲୀସ୍ଥିତ ଓଡ଼ିଶା ଭବନ ସମେତ ରାଜ୍ୟର ସମସ୍ତ ଜିଲାର ପ୍ରମୁଖ ସ୍ଥାନରେ ୫୦ ଏଲଇଡି ଭିଡିଓ ୱାଲ୍‌ ସ୍ଥାପନ କରାଯିବ। ଏଥିରେ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନା, ସଫଳତାର ଆଲେଖ୍ୟ ଓ ମୁଖ୍ୟ ଖବରଗୁଡ଼ିକ ପ୍ରସାରିତ ହେବ। ଗଣମାଧ୍ୟମକୁ ସରକାରଙ୍କ ସମସ୍ତ ନିଷ୍ପତ୍ତି, ବୁଝାମଣାପତ୍ର ସ୍ବାକ୍ଷର ଏବଂ ଅନ୍ୟାନ୍ୟ ସରକାରୀ ଖବର ସିଧା ପ୍ରସାରଣ ପାଇଁ ଗୋଟିଏ ଲାଇଭ୍‌ କମନ୍‌ ଫିଡ୍‌ ସିଷ୍ଟମ୍‌ର ବ୍ୟବସ୍ଥା କରାଯିବ। ସେହିଭଳି ଗୋଟିଏ ଡିଜିଟାଲ ନ୍ୟୁଜ୍‌ ରୁମ୍‌ର ବ୍ୟବସ୍ଥା କରାଯାଇ ସଫ୍ଟୱେର ମାଧ୍ୟମରେ ଖବରଗୁଡ଼ିକ ତ୍ୱରିତ ପ୍ରେରଣ କରାଯିବ। ସରକାରଙ୍କ ସମସ୍ତ ବିଜ୍ଞାପନ ସିଧାସଳଖ ଖବରକାଗଜ ସଂସ୍ଥା ନିକଟକୁ ପଠାଇବା ପାଇଁ ଇ-ବିଜ୍ଞାପନ ବ୍ୟବସ୍ଥା କରାଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପରିଚାଳିତ ସୂଚନା ଅଧିକାରକୁ ସୁବ୍ୟବସ୍ଥିତ ଓ ସୁସଂହତ କରାଯିବା ପାଇଁ ସୂଚନା ଅଧିକାର ପୋର୍ଟାଲ୍‌ ଖୁବ୍‌ଶୀଘ୍ର ଉନ୍ମୋଚିତ ହେବ। ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସୁଚିନ୍ତିତ ପ୍ରସ୍ତାବମାନ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଦାସ ପରାମର୍ଶ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକି, ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

Share