୫ ଟି କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ: ଏମ୍‌ଏସ୍‌ଏମ୍‌ଇ ସୁଧାର ପାଇଁ ୬ ପଦକ୍ଷେପ

ନୂଆଦିଲ୍ଲୀ,୧୩।୫: ଭାରତରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଫଳରେ ଦିନକୁ ଦିନ ଅର୍ଥନୀତି ଖରାପ ହେବାରେ ଲାଗିଛି। ଏପରିସ୍ଥଳେ ଦେଶର ଅର୍ଥନୀତିରେ ସୁଧାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଏହି ପ୍ୟାକେଜ ସମ୍ପର୍କରେ ବୁଧବାର ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ୩ ଲକ୍ଷ କୋଟିର ବିନା ଗ୍ୟାରେଣ୍ଟି ଋଣ ସୁବିଧା ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି କ୍ଷେତ୍ରର ବିକାଶ ପାଇଁ ୬ଟି ପଦକ୍ଷେପ ଗ୍ରହଣ କରାଯାଇଛି। ୫ ଟି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରାଯିବ। ସ୍ବଦେଶୀ ଉତ୍ପାଦକୁ ଅଗ୍ରାଧୀକାର ଦିଆଯିବ। ସୁଧାର ଦ୍ୱାରା ନୂଆ ଭାରତ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏମ୍‌ଏସ୍‌ଏମ୍‌ଇକୁ ୧ ବର୍ଷ ପର୍ଯ୍ୟନ୍ତ ଋଣ ଛାଡ୍‌ କରାଯିବ। ଫଳରେ ୪୫ ଲକ୍ଷ ଏମ୍‌ଏସ୍‌ଏମ୍‌ଇ ଊପକୃତ ହୋଇପାରିବେ। ସେହିପରି ୧୫ ହଜାରରୁ କମ୍‌ ଦରମା ପାଉଥିବା କର୍ମଚାରୀଙ୍କୁ ସରକାରୀ ସହାୟତା ମିଳିବ। ୨୪ ପ୍ରତିଶତ ଦରମା ପିଏଫ୍‌ରେ ଜମା କରାଯିବ। ଏମ୍‌ଏସ୍‌ଏମ୍‌ଇ ପାଇଁ ୧୦ ହଜାର କୋଟିର ଫଣ୍ଡସ୍‌ ଅଫ୍‌ ଫଣ୍ଡ୍‌ ଘୋଷଣା କରାଯାଇଛି। ସେହିପରି ଏହି କ୍ଷେତ୍ରରେ କାରବାର ବିସ୍ତାର ପାଇଁ ୫୦ ହଜାର କୋଟିର ପ୍ୟାକେଜ ଦେବାକୁ ସରକାର ଯୋଜନା କରିଛନ୍ତି। ସମ୍ମିଳନୀରେ ଅର୍ଥମନ୍ତ୍ରୀ ସୂଚନା ଦେଇଥିଲେ ଯେ, କରୋନା ସଙ୍କଟ ସମୟରେ ୮ କୋଟି ପରିବାରକୁ ୩ ମାସ ପର୍ଯ୍ୟନ୍ତ ଗ୍ୟାସ୍‌ ସିଲଣ୍ଡର ଯୋଗାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯିବାର କିଛି ଘଣ୍ଟା ମଧ୍ୟରେ ଗରିବଙ୍କ ପାଇଁ ୪୧ କୋଟିର ସହାୟତା ପ୍ୟାକେଜ୍‌ ସିଧାସଳଖ ସେମାନଙ୍କ ସଞ୍ଚୟ ଖାତାକୁ ଯୋଗାଇ ଦିଆଯାଇଛି। ସେହିପରି ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଥିବା ସେ କହିଛନ୍ତି।

Share