୫-ଟି ପ୍ରଭାବ: ଦେଢବର୍ଷ ପରେ ନିଯୁକ୍ତି ପାଇଁ ପରୀକ୍ଷା; ୨୪ ଘଣ୍ଟାରେ ବାହାରିଲା ପରୀକ୍ଷାଫଳ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ପଞ୍ଚାୟତିରାଜ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ଲାଇଭ୍‌ଲି ହୁଡ୍‌ ମିଶନ (ଓଏଲ୍‌ଏମ୍‌) ପାଇଁ ଜିଲା ଓ ବ୍ଲକ୍‌ ସ୍ତରୀୟ ସହାୟକ ପଦବୀ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଗତ ୧୮ ମାସ ହେବ ବନ୍ଦ ଥିବା ଏହି ପରୀକ୍ଷା ଭୁବନେଶ୍ୱର ଜଗନ୍ନାଥ ପ୍ରସାଦ ନର୍ସରୀ ପକ୍ଷରୁ କରାଯାଇଥିଲା। ମାତ୍ର ୨୪ ଘଣ୍ଟା ମଧ୍ୟରେ ଏହି ପରୀକ୍ଷା ଫଳ ବାହାରିଛି। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପରେ କୃତକାର୍ଯ୍ୟ ହୋଇଥିବା ଯୁବତୀଯୁବକଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ କହିଛନ୍ତି।

ତେବେ ଏତେଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବା ସଂକ୍ରାନ୍ତରେ ପ୍ରଧାନ କହିଛନ୍ତି, ରାଜ୍ୟ ସରକାରଙ୍କ ୫-ଟି ସୂତ୍ରକୁ ଓଏଲ୍‌ଏମ୍‌ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି। ଖାଲିଥିବା ପଦବୀ ପୂରଣ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ସହାୟକ ପଦବୀ ପାଇଁ ହୋଇଥିବା ପରୀକ୍ଷାରେ ୪ହଜାର ୩ଶହ ୯୦ଜଣ ଅଂଶଗ୍ରହଣ କରିଥିବାବେଳେ ୩ହଜାର ୪ଶହ ୪୩ଜଣଙ୍କୁ ମନୋନୀତ କରାଯାଇଛି। ପର୍ଯ୍ୟାୟକ୍ରମେ ସେମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଓଏଲ୍‌ଏମ୍‌ ଅଜିମ୍‌ ପ୍ରେମ୍‌ଜୀ ଫିଲାନ୍‌ଥ୍ରୋପିକ୍‌ ଇନିସିଏଟିଭ୍‌ (ଏପିପିଆଇ) ପ୍ରକଳ୍ପ ପାଇଁ ଏହି ପରୀକ୍ଷା କରାଯାଇଛି। ଜିଲା ସହାୟକ ପଦବୀ ପାଇଁ ସର୍ବନିମ୍ନ ୬ବର୍ଷ ଓ ବ୍ଲକ୍‌ ସହାୟକଙ୍କ ପାଇଁ ୩ବର୍ଷ କାର୍ଯ୍ୟ ଦକ୍ଷତା ଅଭିଜ୍ଞତା ରଖାଯାଇଛି। ଅନ୍‌ଲାଇନ୍‌ରେ ଏନେଇ ଆବେଦନ କରିବାକୁ ଓଏଲ୍‌ଏମ୍‌ ପକ୍ଷରୁ କୁହାଯାଇଛି।

Share