Categories: ରାଜ୍ୟ

୫ ଡାକ୍ତରଖାନାକୁ ‘ଲକ୍ଷ୍ୟ’ ମାନ୍ୟତା

ଭୁବନେଶ୍ୱର, ୨୫।୮(ବ୍ୟୁରୋ): ରାଜ୍ୟର ୫ ଡାକ୍ତରଖାନାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ‘ଲକ୍ଷ୍ୟ’ ମାନ୍ୟତା ମିଳିଛି। ସେଗୁଡ଼ିକ ହେଲା ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, ରାୟଗଡ଼ା ଜିଲା ଚିକିତ୍ସାଳୟ, କନ୍ଧମାଳ ଜିଲା ଚିକିତ୍ସାଳୟ, ଢେଙ୍କାନାଳ ଜିଲା ଚିକିତ୍ସାଳୟ ଓ କେନ୍ଦୁଝର ଜିଲାର ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ଏନେଇ ଜାତୀୟ ସ୍ବାସ୍ଥ୍ୟ ମିଶନ ଅତିରିକ୍ତ ସଚିବ ମନୋଜ ଝାଲାନୀ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ଚିଠି ଲେଖି ଜଣାଇଛନ୍ତି। ଡାକ୍ତରଖାନାରେ ଲେବର ରୁମ୍‌ ଓ ମାଟର୍ନିଟି ଅପରେଶନ ଥିଏଟରର ଭିତ୍ତିଭୂମିକୁ ତଦାରଖ କରି ଏହି ମାନ୍ୟତା ଦିଆଯାଇଥାଏ। ଲେବର ରୁମ୍‌ ଓ ମାଟର୍ନିଟି ଅପରେଶନ ଥିଏଟର ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଯଥାକ୍ରମେ ୯୩% ଓ ୯୫% ସ୍କୋର ମିଳିଥିବାବେଳେ ରାୟଗଡ଼ା ଜିଲା ଚିକତ୍ସାଳୟକୁ ୮୯% ଓ ୮୮%, କନ୍ଧମାଳ ଜିଲା ଚକିତ୍ସାଳୟକୁ ୯୦% ଓ ୮୪%, ଢେଙ୍କାନାଳ ଜିଲା ଚିକିତ୍ସାଳୟକୁ ୯୧% ଓ ୯୬% ଏବଂ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ୮୬% ଓ ୮୯% ସ୍କୋର୍‌ ମିଳିଛି। ଏଥିସହିତ କଳାହାଣ୍ଡି ଜିଲା ଚିକତ୍ସାଳୟର ୧୨ ବିଭାଗକୁ ‘କ୍ୱାଲିଟି’ ମାନ୍ୟତା ଦିଆଯାଇଥିବାବେଳେ ମୋଟ ୮୪% ସ୍କୋର ମିଳିଥିବା ଜଣାପଡ଼ିଛି।