୫ ଦଫା ଦାବି ପୂରଣ ନେଇ ରାଜ୍ୟପାଳଙ୍କୁ ଭେଟିଲା ଭାଜପା: ଓବିସି କମିଶନ ଲାଗୁ ନ ହେଲେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, ୪ା୮(ବ୍ୟୁରୋ):ରାଜ୍ୟରେ ଓବିସି କମିଶନ ଗଠନ, ପଛୁଆବର୍ଗ ଛାତ୍ରୀଛାତ୍ରଙ୍କୁ ବୃତ୍ତି ପ୍ରଦାନ, ଉଭୟ ସରକାରୀ ଓ ବେସରକାରୀ ନିଯୁକ୍ତି କ୍ଷେତ୍ରରେ ୨୭ପ୍ରତିଶତ ସଂରକ୍ଷଣ ବୃଦ୍ଧି, ଓବିସି ଫାଇନାନ୍ସ କର୍ପୋରେଶନ ମାଧ୍ୟମରେ ଋଣ ପ୍ରଦାନ ଏବଂ ସାମାଜିକ, ଶିକ୍ଷାଗତ ପଛୁଆବର୍ଗଙ୍କୁ(ଏସ୍‌ଇବିସି)ଙ୍କୁ ଓବିସି ବର୍ଗରେ ସାମିଲ କରିବା କ୍ଷେତ୍ରରେ ପଦକ୍ଷେପ ନେବାକୁ ଭାଜପା ପକ୍ଷରୁ ଦାବି କରାଯାଇଛି। ଏହି ଦାବି ନେଇ ଭାଜପାର ଏକ ପ୍ରତିନିଧି ଦଳ ଶନିବାର ରାଜ୍ୟପାଳଙ୍କୁ ଭେଟି ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଭାଜପା କରିଥିବା ଦାବି ହେଲା, କେନ୍ଦ୍ର ସରକାର ଦେଉଥିବା ବୃତ୍ତି ବାବଦ ରାଶିରୁ ବହୁତ କମ ପରିମାଣର ଅର୍ଥ ପଛୁଆ ବର୍ଗ ଛାତ୍ରୀଛାତ୍ରଙ୍କୁ ମିଳୁଛି। ଅନେକ ସମୟରେ ଏହାକୁ ମଧ୍ୟ ଦିଆଯାଉନାହିଁ, ଯଥାଶୀଘ୍ର ଏହି ଅନୁଦାନ ରାଜ୍ୟର ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରାଯାଉ। ପିଲାମାନେ କେନ୍ଦ୍ର ନିକଟରେ ଆବେଦନ କଲାବେଳେ ରାଜ୍ୟରେ ଥିବା ଏସ୍‌ଇବିସି ସାର୍ଟିଫିକେଟ ଗ୍ରହଣୀୟ ହେଉନାହିଁ। ଏସ୍‌ଇବିସି ସାର୍ଟିଫିକେଟକୁ ଓବିସି ମାନ୍ୟତା ଦିଆଯାଇ ଏହାକୁ ଗ୍ରହଣ କରାଯାଉ। ଓବିସି ଅର୍ଥ ନିଗମକୁ ଋଣ ଅନୁଦାନ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ୨ ବର୍ଷ ତଳୁ ନ୍ୟାଶ୍‌ନାଲ କମିଶନ ଫର ବ୍ୟାକ୍‌ଓ୍ବାର୍ଡ କ୍ଲାସେସ୍‌କୁ ପରିବର୍ତ୍ତନ କରି ନ୍ୟାଶନାଲ କମିଶନ ଫର ସୋସିଆଲି ଆଣ୍ଡ ଏଜୁକେସନାଲି ବ୍ୟାକଓ୍ବାର୍ଡ କ୍ଲାସେସ୍‌ କରିଛନ୍ତି। ଏହି କମିଶନ ସାମ୍ବିଧାନିକ ମାନ୍ୟତା ପ୍ରାପ୍ତ ହୋଇଥିବା ଯୋଗୁ ପଛୁଆ ବର୍ଗର ଲୋକଙ୍କୁ ନ୍ୟାୟ ଦେବାରେ ସହାୟକ ହୋଇଛି । ଅନ୍ୟପଟେ ରାଜ୍ୟର ଅର୍ଦ୍ଧାଧିକ ଜନସଂଖ୍ୟା ପଛୁଆ ବର୍ଗରୁ ଆସିଥିବା ସତ୍ତ୍ୱେ ରାଜ୍ୟ ସରକାର ଦୀର୍ଘବର୍ଷ ହେଲା ଓବିସି କମିଶନ ନିଯୁକ୍ତ କରିନାହାନ୍ତି। ଏହା ପଛୁଆବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା। ଆର୍ଥିକ ସ୍ତରରେ ଥିବା ପଛୁଆ ବର୍ଗର ଲୋକଙ୍କୁ କିଭଳି ନିଜସ୍ବ ବ୍ୟବସାୟୀ ଆରମ୍ଭ କରି ନିଜ ଗୋଡରେ ନିଜେ ଠିଆ ହୋଇପାରିବେ ସେଥିପାଇଁ ଓବିସି ଅର୍ଥ କମିଶନକୁ ରାଜ୍ୟରେ ଲାଗୁ କରାଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି। ରାଜ୍ୟ ଓବିସି କମିଶନ ଯଦି ତୁରନ୍ତ ଗଠନ କରା ନ ଯାଏ, ତା’ହେଲେ ଭାଜପା ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି।

Share