୫ ଦଶନ୍ଧି ଧରି କମୁଛି ବର୍ଷା

ବେଜିଂ/ନୂଆଦିଲ୍ଲୀ, ୧୪ା୬: କୃଷି ପ୍ରଧାନ ଦେଶ ଭାରତରେ ଚାଷକାର୍ଯ୍ୟ ଲାଗି ବିଶେଷତଃ ବର୍ଷା ଉପରେ କୃଷକମାନେ ନିର୍ଭର କରିଥାନ୍ତି। କିନ୍ତୁ ବିଗତ ୫ ଦଶନ୍ଧି ଧରି ବର୍ଷାର ପରିମାଣ କମିବାରେ ଲାଗିଛି। ୫୦ ବର୍ଷ ମଧ୍ୟରେ ବର୍ଷାର ପରିମାଣ କମିବା ଓ ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେବା ଚିନ୍ତା ବଢ଼ାଇଛି। ଏଭଳି ପ୍ରାକୃତିକ ପରିବର୍ତ୍ତନର କାରଣ ଜାଣିବା ଲାଗି ଏକ ବୈଜ୍ଞାନିକ ଗୋଷ୍ଠୀ ଏବେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି। ସେମାନେ ୨୦୦୦ ପୂର୍ବ ଓ ପରର ବିଭିନ୍ନ ପ୍ରାକୃତିକ ସ୍ଥିତିକୁ ବିଶ୍ଳେଷଣ କରିଛନ୍ତି। ୧୯୫୦ରୁ ଉତ୍ତର କେନ୍ଦ୍ରୀୟ ଭାରତରେ ମୌସୁମୀ ବର୍ଷାର ପରିମାଣ କମିବା ଓ ଏହା ଦୀର୍ଘବର୍ଷ ଧରି ଜାରି ରହିବାର କାରଣ ଜାଣିବାକୁ ସେମାନେ ପ୍ରୟାସ କରିଛନ୍ତି। ଚାଇନିଜ୍‌ ଏକାଡେମୀ ଅଫ୍‌ ସାଇନ୍ସର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଟ୍‌ମୋସ୍ଫେରିକ୍‌ ଫିଜିକ୍ସର ଡ. ଜିନ୍‌ ହୁଆଙ୍ଗ ଏବଂ ପ୍ରଫେସର ଟିଆନ୍‌ଜୁନ୍‌ ଝୋଉ ବ୍ରିଟେନ ପାଣିପାଗ କାର୍ଯ୍ୟାଳୟ ଓ ଜର୍ମାନୀର ମାକ୍ସ ଫ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ଦିଆଯାଇଥିବା ବିଭିନ୍ନ ଡାଟାକୁ ବ୍ୟବହାର କରି ପରୀକ୍ଷା ଜାରି ରଖିଛନ୍ତି। ସବୁଜ ଘର ବାଷ୍ପ, ମାନବୀୟ ପ୍ରବୃତ୍ତିରେ ପରିବର୍ତ୍ତନ ଓ ଭୂମି ଭଳି ବାହ୍ୟ ଶକ୍ତି ପ୍ରାକୃତିକ ପରିବର୍ତ୍ତନଶୀଳତା ଲାଗି ବିଶେଷ ଭାବେ ଦାୟୀ ବୋଲି କୁହାଯାଇଛି। ମାନବୀୟ କାର୍ଯ୍ୟକଳାପ ଉଷ୍ମତା ବୃଦ୍ଧିକରିବା ସହ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଯାହାକି ସମୁଦ୍ର ଉପରେ ପ୍ରଭାବ ପକାଇଥାଏ। ଫଳରେ ପାଣିପାଗ ପରିବର୍ତ୍ତନଶୀଳ ହୋଇଥାଏ। ମୌସୁମୀ ବର୍ଷା କମ୍‌ ହୋଇଥାଏ। ୧୯୫୦ରୁ ୨୦୦୦ ମସିହା ମଧ୍ୟରେ ଏଭଳି ସ୍ଥିତି ଦୃଷ୍ଟିଗୋଚର ହୋଇଥିଲା। ଭଲ ବର୍ଷା ଲାଗି ପରିବେଶ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯିବା ସହ ମାନବୀୟ ପ୍ରବୃତ୍ତିରେ ପରିବର୍ତ୍ତନ ଅଣାଯିବା ଜରୁରୀ ବୋଲି ବୈଜ୍ଞାନିକମାନେ ଦର୍ଶାଇଛନ୍ତି।

Share