୫ ଦିନରେ ବି ସରିଲାନି ଶ୍ରୀଲିଙ୍ଗରାଜଙ୍କ ଜମି ଚିହ୍ନଟ ପ୍ରକ୍ରିୟା: ଚିହ୍ନଟ ହୋଇପାରୁନି ମୁଖ୍ୟସ୍ଥାନ

ଭୁବନେଶ୍ୱର/ପୁରୁଣା ଭୁବନେଶ୍ୱର,୨୦ା୧୦(ବ୍ୟୁରୋ/ଡି.ଏନ୍‌.ଏ.): ଶ୍ରୀ ଲିଙ୍ଗରାଜଙ୍କ ଜମି ଚିହ୍ନଟ ସର୍ଭେ କାର୍ଯ୍ୟ ଚାଲିଛି। କିନ୍ତୁ ମନ୍ଦିର ପ୍ରଶାସନର ଆନ୍ତରିକତା ମନୋଭାବ ଅଭାବ ଯୋଗୁ ୫ଦିନ ବିତିଥିଲେ ମଧ୍ୟ ସର୍ଭେ କାର୍ଯ୍ୟ ସରିପାରୁ ନାହିଁ। ମନ୍ଦିର ପ୍ରଶାସନର ନେତୃତ୍ୱରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ସାଧାରଣ ପ୍ରଶାସନ ବିଭାଗ, ରାସ୍ତା ଓ କୋଠାବାଡ଼ି ବିଭାଗ ମିଳିତ ଭାବେ ଏହି ସର୍ଭେ କରୁଛି। କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ମନ୍ଦିର ପ୍ରଶାସନର ଉଦାସୀନତା ସ୍ପଷ୍ଟ ବାରି ହୋଇପଡ଼ୁଥିବା ସାମ୍ନାକୁ ଆସିଛି। ଏବେ ବି ମନ୍ଦିର ପାର୍ଶ୍ୱରେ ଥିବା ମୁଖ୍ୟ ସ୍ଥାନଗୁଡ଼ିକର ମାପଚୁପ୍‌ ବାକିଥିବା ବିଡିଏ ପକ୍ଷରୁ ଜଣାପଡ଼ିଛି। ବିଡିଏର ଜନୈକ ଅଧିକାରୀ କହିଛନ୍ତି, ଖାଲି ଯଦି ମନ୍ଦିର ପାର୍ଶ୍ୱକୁ ସର୍ଭେ କରାହୁଅନ୍ତା ତେବେ ସମସ୍ତ କାର୍ଯ୍ୟ ସମୟ ମଧ୍ୟରେ ସରନ୍ତା। କିନ୍ତୁ ଏଠାରେ ମନ୍ଦିର ପାର୍ଶ୍ୱ ସହ ମନ୍ଦିର ଜମି ଓ ଘରୋଇ ଜମିଗୁଡ଼ିକୁ ଚିହ୍ନଟ କରାଯାଉଥିବାରୁ କାର୍ଯ୍ୟ ସରିବାରେ ବିଳମ୍ବ ହେଉଛି। କାର୍ଯ୍ୟଟି ୪ ବିଭାଗର କର୍ମଚାରୀଙ୍କ ଦ୍ୱାରା କରାଯାଉଥିଲେ ମଧ୍ୟ ତାହା ଶେଷ ହୋଇପାରୁନି। ସୋମବାର ଆଉ ୩ଦିନ ସର୍ଭେ ପାଇଁ ଆବେଦନ କରାଯିବ। ଏହାପରେ ଜିଲା ପ୍ରଶାସନକୁ ଚୂଡ଼ାନ୍ତ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି।

ଶନିବାର ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ପୂବାହ୍ନରେ ମିଳିତ ଟିମ୍‌ ଧର୍ମଶାଳା-ଦ୍ୱାରବାସିନୀ, କୋଟିତୀର୍ଥ ଲେନର ଇଲେକ୍ଟ୍ରି ସବଷ୍ଟେଶନ ଅଫିସ୍‌ ପର୍ଯ୍ୟନ୍ତ, ଗଙ୍ଗାଯମୁନା ରାସ୍ତା, ଦ୍ୱାରବାସିନୀଠାରୁ ବିନ୍ଦୁସାଗର ରାସ୍ତାର ଦକ୍ଷିଣପାର୍ଶ୍ୱ ଦେଇ ତରଙ୍ଗ କ୍ଲବ ପର୍ଯ୍ୟନ୍ତ ସର୍ଭେ କରିଥିଲା। ଏଥିରେ ମୋଟ ୨୦ଟି ଜବରଦଖଲ ପ୍ଲଟ ଚିହ୍ନଟ ହୋଇଥିଲା। ତନ୍ମଧ୍ୟରୁ ୨ଟି ଜାଗା ଗୁରୁତ୍ୱପୂର୍ଣ୍ଣ ଥିଲା। ଗୋଟିଏ ଶତକଡ଼ା ୪୦% ଏବଂ ଅନ୍ୟଟି ୧୦୦% ଜବରଦଖଲରେ ରହିଛି ବୋଲି ଟିମ୍‌ ଜାଣିବାକୁ ପାଇଥିଲା।

ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବାବେଳେ ଜବରଦଖଲକାରୀମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଠାକୁରଙ୍କ ଅନ୍ୟ ସ୍ଥାନରେ ବି ଜବରଦଖଲ ରହିଥିବା ଜାଗାକୁ ସର୍ଭେ କରାଯାଇ ଜବରଦଖଲ ମୁକ୍ତ କରିବାକୁ ଦାବି ହେଉଛି। ଏଭଳି ଦାବିକୁ ଏହି ମିଳିତ ଟିମ୍‌ ଗ୍ରହଣ କରି ପୁନର୍ବାର ସର୍ଭେ କରିବ।

Share