Categories: ବାଣିଜ୍ୟ

୫ ଦିନ ବନ୍ଦ ରହିବ ବ୍ୟାଙ୍କ କାରବାର

ନୂଆଦିଲ୍ଲୀ,୨୩-୯: ଚଳିତ ମାସ ୨୯ରୁ ନବରାତ୍ର ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ନଗଦ ନିଜ ନିକଟରେ ରଖିବା ବୁଦ୍ଧିମାନ କାମ ହେବ। କାରଣ ଚଳିତ ମାସ ଶେଷ ୫ ଦିନ ଲାଗି ବ୍ୟାଙ୍କ କାରବାର ବନ୍ଦ ରହିବ। ଲଗାତାର ଭାବେ ଏତେଦିନ ବ୍ୟାଙ୍କ ବନ୍ଦ ରହିବା ଯୋଗୁ ନଗଦ ସଙ୍କଟ ଦେଖା ଦେଇ ପାରେ। ଏଣୁ ବ୍ୟାଙ୍କ ବନ୍ଦ ହେବା ଆଗକୁ ସମସ୍ତ ପ୍ରସ୍ତୁତି କରିନେଲେ କୌଣସି ଅସୁବିଧା ସାମ୍ନା କରିବାକୁ ପଡିବ ନାହିଁ। ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରି ସଙ୍ଗଠନଗୁଡିକ ୨୬ ଏବଂ ୨୭ ତାରିଖରେ ଧର୍ମଘଟକୁ ଓହ୍ଲାଉଛନ୍ତି। ୨୮ ସେପ୍ଟେମ୍ବର ଚତୁର୍ଥ ଶନିବାର ଏବଂ ୨୯ ତାରିଖ ରବିବାର ପଡିବାରୁ ବ୍ୟାଙ୍କ ବନ୍ଦ ରହିବ। ୩୦ ସେପ୍ଟେମ୍ବରରେ ବ୍ୟାଙ୍କ ଖୋଲିବାକୁ ଥିବା ବେଳେ ବର୍ଷର ୬ ମାସ ସମୟ ଶେଷ ଯୋଗୁ ନେଣ ଦେଣ ହେବ ନାହିଁ। ମୋଟା ମୋଟି ଭାବେ କହିବାକୁ ମୋଟ ୫ ଦିନ ବ୍ୟାଙ୍କ କାରବାର ବନ୍ଦ ରହିବା ଯୋଗୁ ଉପଭୋକ୍ତା ଏବଂ ବ୍ୟବସାୟୀ ନେଣଦେଣ ନେଇ ସମସ୍ୟା ସାମ୍ନା କରିବେ ବୋଲି ଜଣାପଡିଛି।
ଏଟିଏମ୍‌ରେ ନଗଦ ସମସ୍ୟା ଆଶଙ୍କା
ଲଗାତାର ୫ ଦିନ ବ୍ୟାଙ୍କ କାରବାର ବନ୍ଦ ହେବା ଯୋଗୁ ଏଟିଏମ ଗୁଡିକରେ କ୍ୟାଶ ଶେଷ ହେବାର ସମସ୍ୟା ମଧ୍ୟ ଉପୁଜିବାର ସମ୍ଭାବନା ରହିଛି। କୌଣସି ଏଟିଏମ୍‌ରେ ନଗଦ ରଖିବାର କ୍ଷମତା ୨ ଦିନ ରହିଥାଏ। ଧର୍ମଘଟ ଏବଂ ବନ୍ଦ ଯୋଗୁ ଏଟିଏମ ଟଙ୍କା ଭରିବା ସମସ୍ୟା ଦେଖାଯିବ।
ଚେକ୍‌ କ୍ଲିୟର ପାଇଁ ଲାଗିବ ଅଧିକ ସମୟ
ଏହି ସମୟରେ ଚେକ୍‌ କ୍ଲିୟର ହେବାକୁ ଅଧିକ ସମୟ ଲାଗିବ। ଯଦି କୌଣସି ଗ୍ରାହକ ୨୫ ସେପ୍ଟେମ୍ବରରେ ଚେକ୍‌ କ୍ଲିୟର ଲାଗି ଦେଇଥାନ୍ତି ତେବେ ଏହା କ୍ଲିୟର ଲାଗି ୩ ଅକ୍ଟୋବର ଯାଏ ସମୟ ଲାଗିବ। ଅକ୍ଟୋବର ପହିଲାରେ ଏହା ଯଦି କ୍ଲିୟର ହୁଏ ତେବେ ୨ ଅକ୍ଟୋବର ଗାନ୍ଧି ଜୟନ୍ତି ପଡୁଥିବାରୁ ୩ ତାରିଖରେ ଖାତାକୁ ପଇସା ଆସିବ।

Share