Categories: ଜାତୀୟ

୫ ବର୍ଷରେ ଉପସାଗରୀୟ ଅଞ୍ଚଳରେ : ଗଲାଣି ୩୪ ହଜାର ଭାରତୀୟଙ୍କ ଜୀବନ

ହାଇଦ୍ରାବାଦ,୨୩ା୧୧: ଉପସାଗରୀୟ ରାଷ୍ଟ୍ର କୁଏଟ୍‌, ସୌଦି ଆରବ, ବାହାରିନ୍‌, କାତାର, ଓମାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଦିନକୁ ହାରାହାରି ୧୫ ଭାରତୀୟ ପ୍ରାଣ ହରାଉଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୨୦୧୪ରୁ ଇତିମଧ୍ୟରେ ଅର୍ଥାତ୍‌ ୫ ବର୍ଷ ମଧ୍ୟରେ ଏହି ୬ଟି ଦେଶରେ ମୋଟ ୩୩,୯୮୮ ଭାରତୀୟଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ କେବଳ ତେଲଙ୍ଗାନାରୁ ୧୨୦୦ ଲୋକ ପ୍ରାଣ ହରାଇଥିବା ଜଣାପଡିଛି। ଗତବର୍ଷ ଉପସାଗରୀୟ ଅଞ୍ଚଳରେ ୪୮୨୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଲୋକ ସଭାରେ କଂଗ୍ରେସ ଏମ୍‌ପି ଏନ୍‌. ଉତ୍ତମ କୁମାର ରେଡ୍ଡୀଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ୍‌ ଉପରୋକ୍ତ ତଥ୍ୟ ଦେଇଥିଲେ। ସୌଦି ଆରବ ଏବଂ ୟୁଏଇରେ ସର୍ବାଧିକ ଭାରତୀୟଙ୍କ ମୃତ୍ୟୁ ଘଟିଛି।
ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଉପସାଗରୀୟ ଅଞ୍ଚଳରେ ରହିଥିବା ପ୍ରବାସୀ ଭାରତୀୟଙ୍କଠାରୁ ବହିର୍ବ୍ୟାପାର ମନ୍ତ୍ରଣାଳୟ ୧୫,୦୫୧ଟି ଅଭିଯୋଗ ପାଇଛି। ଏଜେଣ୍ଟଙ୍କ ଦ୍ୱାରା ନିଯୁକ୍ତିରେ ଠକେଇକୁ ନେଇ ଅଧିକାଂଶ ଅଭିଯୋଗ ଆସିଥିବା ମୁରଲୀଧରନ କହିଛନ୍ତି। ବେତନ ନ ମିଳିବା, ଆଇନଗତ ଶ୍ରମ ଅଧିକାର ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ନ ମିଳିବା ଆଦି ଅଭିଯୋଗ ମଧ୍ୟ ମନ୍ତ୍ରଣାଳୟର ହସ୍ତଗତ ହୋଇଛି।

Share