Categories: ଜାତୀୟ

୫ ବର୍ଷରେ ମୋଦିଙ୍କ ପ୍ରଥମ ଖବରଦାତା ସମ୍ମିଳନୀ: ପୂର୍ଣ୍ଣ ବହୁମତ ସହ ଫେରିବ ଭାଜପା

ନୂଆଦିଲ୍ଲୀ,୧୭।୫:୨୦୧୯ ସାଧାରଣ ନିର୍ବାଚନର ସପ୍ତମ ତଥା ଚୂଡାନ୍ତ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଛି। ଆସନ୍ତା ରବିବାର ୧୯ରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଲୋକ ସଭା ନିର୍ବାଚନ ପ୍ରଚାରର ଶେଷଦିନରେ ଭାଜପା କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଖବରଦାତା ସମ୍ମିଳନୀ କରିଛନ୍ତି। ପ୍ରଧାନମନ୍ତ୍ରୀ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ଦଳ ପୁଣି ପୂର୍ଣ୍ଣ ବହୁମତ ସରକାର ହୋଇ କ୍ଷମତାକୁ ଫେରୁଛି। ସେ କହିଛନ୍ତି, ଦେଶରେ ଯଦି ସକ୍ଷମ ସରକାର ରହେ ତେବେ ରମଜାନ, ଆଇପିଏଲ ଓ ଏକା ସମୟରେ ନିର୍ବାଚନ ହୋଇଥାଏ। ପିଲାଙ୍କ ପରୀକ୍ଷା ମଧ୍ୟ ସେହି ସମୟରେ ହୋଇପାରିବ। ମୋଦି କହିଛନ୍ତି ଯେ, ଆମ ସରକାରର ମୂଳ ମନ୍ତ୍ର ହେଲା ଶେଷ ଲୋକଟି ଯାଏ ଶାସନ ପହଞ୍ଚୁ। ସଂଗଠନ ନେଇ କେମିତି ନିର୍ବାଚନ ଲଢାଯାଏ, ଆମେ ଦେଖାଇଛୁ। ଆମେ ସମ୍ପୂର୍ଣ୍ଣ ଯୋଜନା କରି ସଭା ସମିତି ଓ ପ୍ରଚାର କରିଥିଲୁ। ଗତ ପାଞ୍ଚ ବର୍ଷରେ ଦେଶରେ ଯେତେ ସବୁ ନିର୍ବାଚନ ହୋଇଛି ଅଧିକାଂଶ ନିର୍ବାଚନରେ ଆମେ ବିଜୟୀ ହୋଇଛୁ। ପ୍ରଥମ ଦିନର ଉତ୍ସାହ ଆଜି ଶେଷ ଦିନରେ ମଧ୍ୟ ବଜାୟ ରହିଛି। ଗତ ଥର ନିର୍ବାଚନ ଏକ ସକାରାତ୍ମକ ବାତାବରଣ ମଧ୍ୟରେ ହୋଇଥିଲା। ଏବେ ପୂର୍ଣ୍ଣ ବହୁମତ ସରକାର ପାଞ୍ଚ ବର୍ଷ ପୂରଣ କରି ପୁନର୍ବାର ସରକାର ଗଠନ କରିବାକୁ ଯାଉଛି, ଯାହା କି ଦୀର୍ଘ ଦଶନ୍ଧି ପରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି, ଯାହା ଆମ ପାଇଁ ବହୁତ ବଡ଼ ସଫଳତାର ବିଷୟ ହେବ ବୋଲି ସେ କହିଛନ୍ତି। ଗତ ୫ ବର୍ଷ ଧରି ଦେଶବାସୀ ତାଙ୍କ ଉପରେ ବିଶାସ ପ୍ରକଟ କରିଥିବାରୁ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୧୪ ମେ’ ୧୭ ତାରିଖରେ କ୍ଷମତାଲୋଭୀଙ୍କୁ ବହୁତ ବଡ଼ ଆଘାତ ଲାଗିଥିଲା। ଚଳିତ ବର୍ଷ ମଧ୍ୟ ମେ’ ୧୭ରେ ପୁଣି କ୍ଷମତାଲୋଭୀଙ୍କୁ ଧକ୍କା ଲାଗିବାକୁ ଯାଉଛି ।

Share