୫ ବର୍ଷ ଧରି ଶୁଣୁନି ଜିଲା ପ୍ରଶାସନ: ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ଦେବରାଜ

ଗୋପ, ୧୫।୯(ଡି.ଏନ୍‌.ଏ.): ଗୋପ ବ୍ଲକ୍‌ ଅଧୀନ ଜଙ୍ଗଲବୋରି ପଞ୍ଚାୟତସ୍ଥିତ ମଧୁବନ ଗ୍ରାମର ଦିବ୍ୟାଙ୍ଗ ଦେବରାଜ ସାହୁ ୫ବର୍ଷ ଧରି ମୋଟରଚାଳିତ ଟ୍ରାଇସାଇକେଲ ପାଇଁ ଆବେଦନ କରି ମଧ୍ୟ ବଞ୍ଚତ୍ତ ହୋଇ ରହିଛନ୍ତି। ଏ ନେଇ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ପରେ ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଆସିଥିଲା। ମାତ୍ର ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନ ଥିବାବେଳେ ଏଥିପ୍ରତି ଜିଲା ପ୍ରଶାସନ ଓ ବ୍ଲକ୍‌ ପ୍ରଶାସନ ଆଖି ବୁଜି ଦେଇଥିବା ଦିବ୍ୟାଙ୍ଗ ଦେବରାଜ କହିଛନ୍ତି।

ଦେବରାଜ ୨୦୧୪ରେ ରାସ୍ତାରେ ଯାଉଥିବାବେଳେ ଏକ ଷଣ୍ଢ ଆକ୍ରମଣରେ ତାଙ୍କ ବାମ ଗୋଡ଼ର ଚଟୁଆ ହାଡ଼ ଭାଙ୍ଗି ଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ ଚାଲିବାକୁ ସକ୍ଷମ ହୋଇପାରି ନ ଥିଲେ। ପରେ ସରକାରଙ୍କ ପକ୍ଷରୁ ତାଙ୍କୁ ୬୦ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଦେବରାଜ ପରିବାର ପ୍ରତିପୋଷଣ ଲାଗି ଟ୍ରାଇସାଇକେଲ ଆବଶ୍ୟକ ବୋଲି ବିଡିଓ, ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଓ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ନିବେଦନ କରି ନିରାଶ ହୋଇଥିଲେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ନିର୍ଦ୍ଦେଶ ଆସିବା ପରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପତ୍ର ସଂଖ୍ୟା ନଂ୫୦୩୨ ତା୩୦।୦୬।୨୦୧୭ରେ ପୁରୀ ଜିଲାପାଳଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ୨ବର୍ଷ ବିତିଥିଲେ ମଧ୍ୟ ଦେବରାଜଙ୍କୁ ଟ୍ରାଇସାଇକେଲ ମିଳିପାରି ନ ଥିବାରୁ ଦେବରାଜ ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଥିବାବେଳେ ଏ ସମ୍ପର୍କରେ ବିଡିଓ ଦୀପ୍ତିରାଣୀ ଦାସଙ୍କୁ ପଚାରିବାରେ ମୋ ନିକଟରେ ଏ ସମ୍ପର୍କରେ ଅଭିଯୋଗ ନାହିଁ। ତଥାପି ଏଥିପ୍ରତି ଦୃଷ୍ଟି ଦେବି ବୋଲି କହିଥିଲେ।

Share