Categories: ରାୟଗଡା

୫ ବର୍ଷ ହେଲାଣି ବାରଣ୍ଡାରେ ଚାଲିଛି ପାଠପଢ଼ା : ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ

ଝରିଗାଁ,୨୫।୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ବେଲଝରୀ ପ୍ରାଥମିକ ବିଦ୍ୟାଳୟରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ରହିଥିବା ଅଭିଯୋଗ ହେଉଛି। ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ନେଇ ରାଜ୍ୟ ସରକାର ୧୯୭୨ ମସିହାରେ ବେଲଝରୀ ଗ୍ରାମଠାରେ ଉକ୍ତ ବିଦ୍ୟାଳୟ ସ୍ଥାପନ କରିଥିଲେ। କ୍ରମଶଃ ସେହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲାଯାଇ ପିଲାଙ୍କୁ ନିୟମିତ ପାଠପଢ଼ା ଯାଉଥିଲା। ଧୀରେଧୀରେ ବିଦ୍ୟାଳୟରେ ରହିଥିବା ପୁରୁଣା ଶ୍ରେଣୀଗୃହ ଭାଙ୍ଗିଯିବାରେ ଲାଗିଲା। ଏହାପରେ ବେଲଝରୀ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରାଯାଇଥିଲା। ବିଦ୍ୟାଳୟରେ ୭୪ ଜଣ ଛାତ୍ରୀଛାତ୍ର ପାଠ ପଢୁଥିବା ବେଳେ ଅତିରିକ୍ତ ଶ୍ରେଣୀଗୃହରେ ପ୍ରଥମ, ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର ପିଲାଙ୍କୁ ଜଣେ ଶିକ୍ଷକ ରହି ପାଠ ପଢ଼ାଉଛନ୍ତି। ପୁରୁୁଣା ବିଦ୍ୟାଳୟ ଗୃହ ବାରଣ୍ଡାରେ ପ୍ରାୟ ୫ ବର୍ଷ ହେଲାଣି ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀର ପିଲାଙ୍କୁ ପାଠପଢ଼ା ଯାଉଥିବାବେଳେ ବାରଣ୍ଡା ତଳେ ଅନ୍ୟ ଜଣେ ଶିକ୍ଷକ ଚଉକି ପକାଇ ପାଠ ପଢ଼ାନ୍ତି। ଏନେଇ ସଂପୃକ୍ତ ସିଆରସିସିଙ୍କୁ ବାରମ୍ବାର ବିଦ୍ୟାଳୟ ପ୍ରଧାନଶିକ୍ଷକ ଘନ ନାୟକ ଜଣାଇଛନ୍ତି। ସେହିପରି ସିଆରସିସି ପ୍ରିତମ ପନକା ଏ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ।