୫ ମହିଳାଙ୍କୁ ଚୁମ୍ବନ ଦେଲେ ଡୁଟେର୍ଟେ

ଟୋକିଓ,୨ା୬(ଆଇଏଏନ୍‌ଏସ୍‌ ): ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଏକ ବିଚିତ୍ର କାରନାମାକୁ ନେଇ ଏବେ ଚର୍ଚ୍ଚାରେ। ସେ ଜାପାନର ରାଜଧାନୀ ଟୋକିଓରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ମଞ୍ଚ ଉପରେ ଲଗାତର ୫ ମହିଳାଙ୍କୁ ଚୁମ୍ବନ ଦେଇଛନ୍ତି। ସେହି ସୁନ୍ଦରୀ ମହିଳାମାନେ ତାଙ୍କୁ ଗେ (ପୁରୁଷ ସମଲିଙ୍ଗୀ) ସମସ୍ୟାରୁ ମୁକ୍ତିପାଇବା ପାଇଁ ସାହାଯ୍ୟ କରିଥିବା ଡୁଟେର୍ଟେ ପ୍ରକାଶ କରିଛନ୍ତି।
୪ ଦିନିଆ ଜାପାନ ଗସ୍ତରେ ଥିବା ୭୪ ବର୍ଷୀୟ ଡୁଟେର୍ଟେ ଗୁରୁବାର ଟୋକିଓରେ ଫିଲିପିନୋ ସମୁଦାୟକୁ ସମ୍ବୋଧିତ କରୁଥିଲେ। ମଞ୍ଚରେ ତାଙ୍କ ସହ ଉପସ୍ଥିତ ଥିଲେ ନିଜ ଦୀର୍ଘକାଳୀନ ସଙ୍ଗିନୀ। କାର୍ଯ୍ୟକ୍ରମ ଶେଷରେ ଡୁଟେର୍ଟେ ମଞ୍ଚ ନିକଟରେ ବସିଥିବା ମହିଳା ‘ସ୍ବେଚ୍ଛାସେବୀମାନଙ୍କୁ’ ଚୁମ୍ବନର ପ୍ରସ୍ତାବ ଦେଇଥିଲେ। ପ୍ରଥମ ମହିଳା ତାଙ୍କୁ ଓଠରେ ଚୁମ୍ବନ ଦେବା ପାଇଁ କୁଣ୍ଠାବୋଧ କରିଥିଲେ। ଗାଲରେ ଚୁମ୍ବନ ଦେବା ପରେ ସେ ମଞ୍ଚ ଛାଡ଼ି ଚାଲିଯାଇଥିଲେ। ଡାଭାଓ ବାସିନ୍ଦା ଦ୍ୱିତୀୟ ମହିଳା ଏଭଳି ବିରଳ ସୁଯୋଗ ପାଇଥିବାରୁ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା। ସେ ଡୁଟେର୍ଟେଙ୍କ ଥୋଡିରେ ଚୁମା ଦେଇଥିଲେ। ଏହା ପରେ ଜଣ ଜଣ କରି ଆଉ ୩ ମହିଳା ତାଙ୍କୁ ଚୁମ୍ବନ ଦେଇଥିଲେ। ଡୁଟେର୍ଟେ ମଧ୍ୟ ସେହି ୫ ମହିଳାଙ୍କୁ ଚୁମ୍ବନ ଦେଇଥିଲେ। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଖିଆଲି ସ୍ବଭାବର ଏହି ରାଷ୍ଟ୍ରପତି କହିଥିଲେ, ସୁନ୍ଦରୀ ମହିଳାମାନେ ତାଙ୍କୁ ସମଲିଙ୍ଗୀ ହେବାରୁ ରକ୍ଷା କରିଛନ୍ତି। ପ୍ରକାଶ ଯେ, ୨୦୧୮ ଜୁନ୍‌ରେ ଡୁଟେର୍ଟେ ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ଫିଲିପାଇନ୍ସର ଜଣେ ବିବାହିତାଙ୍କୁ ଚୁମ୍ବନ ଦେଇ ବିବାଦୀୟ ହୋଇଥିଲେ।

Share