୫ ଶିକାରୀ ଗିରଫ, ବନ୍ଧୁକ ଜବତ

ସଜନାଗଡ଼,୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରୁ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। କୁଲଡ଼ିହା ବନବିଭାଗ ପକ୍ଷରୁ ରବିବାର ରାତିରେ ପାଟ୍ରୋଲିଂ ସମୟରେ ୫ ଜଣ ଶିକାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ କରିଛନ୍ତି।
ସେମାନେ ହେଲେ ନୀଳଗିରି ବ୍ଲକ ଅଧୀନ ଧଡ଼ାସାହି ଗ୍ରାମର ଦୁଖିଆ ମୁର୍ମୁ (୪୦), ପୁଟିବନ୍ଧ ଗ୍ରାମର ମୁନା ସିଂ (୨୬), ହୁଡ଼ିସାହି ଗ୍ରାମର ଗାଲୁ ସିଂ (୪୫), ସମାରୀ ସିଂ (୨୨) ଓ ଲକ୍ଷ୍ମୀଧର ସିଂ (୨୦)। ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ, ଗୋଟିଏ ମୃତ ଗୁରାଣ୍ଡି, ଦୁଇଟି ଟର୍ଚ୍ଚ, ଗୋଟିଏ କଟୁରୀ ଏବଂ ଛୁରି ଜବତ କରାଯାଇଛି। ଏନେଇ କୁଲଡ଼ିହା ବନବିଭାଗ ପକ୍ଷରୁ ଏକ ମାମଲା (ନଂ. ୧/୨୦) ରୁଜୁ କରାଯାଇଛି। ଏହି ଚଢ଼ାଉରେ କୁଲଡ଼ିହାର ଫରେଷ୍ଟର ନରେଶ ସିଂ, ଫରେଷ୍ଟ ଗାର୍ଡ, ହିମାଂଶୁ ପାଢ଼ୀଙ୍କ ସମେତ କୁଲଡ଼ିହାର ସବୁଜ ବାହିନୀ ସାମିଲ ଥିଲେ। ସୂଚନାଥାଉକି ଗତ ମାର୍ଚ୍ଚ ମାସରେ କୁଲଡିିହା ବନବିଭାଗ ହାତରେ ୪ଜଣ ଶିକାରୀ ଗିରଫ ହୋଇଥିଲେ।