Categories: ମେଟ୍ରୋ

୫ ସନ୍ଦିଗ୍ଧଙ୍କ ସ୍ବାବ ସଂଗ୍ରହ: ପରୀକ୍ଷା ପାଇଁ ପଠାଗଲା ଏମ୍ସ

ବାଳକାଟୀ,୨ା୪(ଡି.ଏନ୍‌.ଏ.):ବାଳକାଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗୁରୁବାର ୫ଜଣ କରୋନା ସନ୍ଦିଗ୍ଧଙ୍କ ସ୍ବାବ ସଂଗ୍ରହ କରାଯାଇଛି। ପରେ ସ୍ବାବଗୁଡ଼ିକୁ ପରୀକ୍ଷା ପାଇଁ ଭୁବନେଶ୍ୱର ଏମ୍ସ କରୋନା ଟେଷ୍ଟ ସେଣ୍ଟରକୁ ପଠାଇ ଦିଆଯାଇଛି। ଏହି ୫ ସନ୍ଦିଗ୍ଧଙ୍କ ମଧ୍ୟରୁ ଜୟଦେବ ନିର୍ବାଚନମଣ୍ଡଳୀର ବାଲିଅନ୍ତା ଓ ବାଲିପାଟଣା ବ୍ଲକର ୪ଜଣ ବିଦେଶୀ ଫେରନ୍ତା ଓ ଜଣେ ଭୁବନେଶ୍ୱର କର କ୍ଲିନିକର କର୍ମଚାରୀ ବୋଲି ଜଣାପଡ଼ିଛି। ଏହି ବିଦେଶୀ ଫେରନ୍ତାଙ୍କ ମଧ୍ୟରେ ଦୁବାଇରୁ ଫେରିଥିବା ବାଲିଅନ୍ତା ବ୍ଲକର ଜଣେ ୫୪ବର୍ଷିୟା ମହିଳା, ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଏହି ବ୍ଳକର ଜଣେ ୩୨ବର୍ଷର ଯୁବକ ଅଛନ୍ତି। ସେହିପରି ଜର୍ମାନୀରୁ ଫେରିଥିବା ବାଲିପାଟଣା ବ୍ଲକର ଜଣେ ୩୪ବର୍ଷର ଯୁବକ, ବାହାରିନରୁ ଫେରିଥିବା ବାଲିପାଟଣା ବ୍ଳକର ୨୮ବର୍ଷର ଯୁବକ ଓ ଅନ୍ୟଜଣେ କର କ୍ଲିନିକର କାର୍ଯ୍ୟରତ ବୋଲି ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ବୁଧବାର ବାଳକାଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ଥାନୀୟ ସରଦେଇପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ କରୋନା ସଂକ୍ରମଣ ପରୀକ୍ଷଣ ପାଇଁ ସ୍ବାବ ସଂଗ୍ରହ କେନ୍ଦ୍ର ଖୋଲାଯାଇ ୫ଜଣଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିଲା।

Share