୫ ହଜାର ଟଙ୍କା ପାଇଁ ହତ୍ୟା; ଅଭିଯୁକ୍ତ ଗିରଫ

ସଜନାଗଡ଼, ୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଜାମୁଡ଼ିହା ପଞ୍ଚାୟତ ବାଘମରା ଗ୍ରାମରେ ୫ ହଜାର ଟଙ୍କା ପାଇଁ ଏକ ହତ୍ୟାକାଣ୍ଡ ଘଟିଛି। ପୋଲିସ ମୃତଦେହକୁ ଜବତ କରି ଛାନଭିନ କରିବା ପରେ ହତ୍ୟାକାଣ୍ଡର କାରଣ ପଦାକୁ ଆସିଛି। ବାବୁରାମ ସିଂ (୪୦) ନାମକ ଜଣେ ଯୁବକଙ୍କୁ ପିଟି ହତ୍ୟା କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଚୁନୁ ସିଂ(୩୦)ଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, ବାଘମରା ଗ୍ରାମର ଜଣେ ମହିଳା ଏକ ଆପରାଧିକ ମାମଲାରେ ଗିରଫ ହୋଇ ଏବେ ବିଚାରାଧୀନ କଏଦୀ ଭାବେ ଦିନ କାଟୁଛନ୍ତି। ସେ ଜେଲ ପରିସରରେ କାମଧନ୍ଦା କରି ତାଙ୍କ ପୁଅ ବାବୁରାମ ସିଂ (୪୦) ପାଖକୁ ତାଙ୍କୁ ଜାମିନରେ ମୁକୁଳାଇବା ଲାଗି ୫ହଜାର ଟଙ୍କା ପଠାଇଥିଲେ। ଜଣେ ସମ୍ପର୍କୀୟ ଚୁନୁ ସିଂ ଏହି ଟଙ୍କା ଆଣିଥିଲେ। ବାବୁରାମଙ୍କୁ ସେ ଟଙ୍କା ନ ଦେବାରୁ ଏନେଇ ଗତ ୫ତାରିଖରେ ପାଟିତୁଣ୍ଡ ହୋଇ ଗଣ୍ଡଗୋଳ ଘଟିଥିଲା। ଚୁନୁ ଉତ୍ତ୍ୟକ୍ତ ହୋଇ ବାବୁରାମଙ୍କୁ ମାରପିଟ୍‌ କରିବା ସହ ଏକ ଶିଳପୁଆ ଆଣି ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଘଟଣାସ୍ଥଳରେ ବାବୁରାମ ରକ୍ତାକ୍ତ ହୋଇ ଚେତା ହରାଇ ବସିଥିଲେ। ଏହାପରେ ଚୁନୁ ତାଙ୍କୁ ନେଇ ଗଁାର ଭାଗବତ ଟୁଙ୍ଗି ଘରେ ଛାଡି ଚାଲିଯାଇଥିଲେ। ପରଦିନ ସକାଳେ ଗଁା ଲୋକେ ଭାଗବତ ଟୁଙ୍ଗି ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାବୁରାମ ପଡ଼ିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ବାବୁରାମଙ୍କ ଉପରେ ପାଣି ଛିଞ୍ଚାଯିବାରୁ ତାଙ୍କ ଚେତା ଫେରିଥିଲା। ସେ ସମସ୍ତ ଘଟଣା ଗ୍ରାମବାସୀଙ୍କ ସମ୍ମୁଖରେ କହିଥିଲେ। ପରେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ନେଇଯାଇଥିଲେ। ଅଭିଯୁକ୍ତ ଚୁନୁ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି କହିଥିଲେ। ନୀଳଗିରି ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଚୁନୁ ଓ ଅନ୍ୟମାନେ ବାବୁରାମଙ୍କୁ ବାଲେଶ୍ୱର ନ ନେଇ ଗଁାକୁ ଆଣି ଜଣେ ପଡ଼ୋଶୀଙ୍କ ଘରେ ରଖିଥିଲେ। ପୁନଶ୍ଚ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ୮ ତାରିଖରେ ନୀଳଗିରି ମେଡ଼ିକାଲକୁ ଆଣି ଚିକିତ୍ସା କରାଇ ସେମାନେ ଗଁାକୁ ନେଇଯାଇଥିଲେ। ପଡୋଶୀଙ୍କ ଘରେ ଥିବା ବେଳେ ୮ ତାରିଖ ରାତିରେ ବାବୁରାମଙ୍କ ମୃତ୍ୟୁ ଘଟିଥିଲା। ସୋମବାର ସକାଳେ ମୃତ୍ୟୁ ଖବର ଜଣାପଡିବା ପରେ ନୀଳଗିରି ପୋଲିସ୍‌ ଆସି ପହଞ୍ଚତ୍ଥିଲା। ମୃତକଙ୍କ ସାନଭାଇ ବିଦେଶୀ ସିଂ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏନେଇ ଏକ ମାମଲା (ନଂ. ୨୧୩/୧୯) ରୁଜୁ କରିଛି। ଏହାସହ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗିରଫ ଚୁନୁଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯିବ ବୋଲି ନୀଳଗିରି ଆଇଆଇସି ନଳିତା ମୋଦି ପ୍ରକାଶ କରିଛନ୍ତି।