୫ ହଜାର ପୋଲିସ କର୍ମଚାରୀଙ୍କ ସ୍ବାବ୍‌ ଟେଷ୍ଟ

ଭୁବନେଶ୍ୱର,୯।୫ (ବ୍ୟୁରୋ): ମୁମ୍ବାଇରେ ୨୫୦ ପୋଲିସ କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଖବର ଆସିବା ପରେ କମିଶନରେଟ ପୋଲିସରେ ଛନକା ପଶିଛି। ତେଣୁ କମିଶନରେଟ ପୋଲିସର ପ୍ରାୟ ୫ ହଜାର ପୋଲିସ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଛି। କିନ୍ତୁ କାହାରି ବି ପଜେଟିଭ୍‌ ଆସି ନ ଥିବା ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପ୍ରତି ଥାନାକୁ ବଡି ସ୍କ୍ରିନିଂ ମେଶିନ୍‌ ଦିଆଯାଇଛି। କର୍ମଚାରୀଙ୍କ ସ୍କ୍ରିନିଂ କରାଯାଉଛି। ଯେଉଁ ପୋଲିସ କର୍ମଚାରୀଙ୍କ କରୋନା ଲକ୍ଷଣ ଆସୁଛି ତାଙ୍କର ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଉଛି। ୫୦ବର୍ଷରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀଙ୍କୁ ବାହାର ଡ୍ୟୁଟି ପରିବର୍ତ୍ତେ ଥାନାରେ କାର୍ଯ୍ୟ କରିବାକୁ କୁହାଯାଇଛି। ପୋଲିସ ବାରାକରେ ସାମାଜିକ ଦୂରତ୍ୱ ଉପରେ ଧ୍ୟାନ ଦିଆଯାଇଛି। ବାରାକରେ ଏକାଧିକ ସିପାହୀଙ୍କୁ ବାଣୀବିହାର ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଛି। ସମସ୍ତଙ୍କୁ ମାସ୍କ, ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି। ରିଜର୍ଭରେ ରହୁଥିବା ପୋଲିସ କର୍ମଚାରୀଙ୍କ ସ୍କ୍ରିନିଂ ମଧ୍ୟ କରାଯାଉଛି।

Share