୫ ହଜାର ରେଳ ଷ୍ଟେଶନ ଛୁଇଁଲା ମାଗଣା ଓ୍ବାଇଫାଇ ସେବା

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ଭାରତୀୟ ରେଳପଥ ଦେଶର ୫ ହଜାର ଷ୍ଟେଶନରେ ମାଗଣା ଓ୍ବାଇଫାଇ ସେବାକୁ ଉପଲବ୍ଧ କରାଇଛି। ଶନିବାର ଦକ୍ଷିଣ-ପୂର୍ବ ରେଳପଥ ଅନ୍ତର୍ଗତ ପଶ୍ଚିମବଙ୍ଗର ମିଦନାପୁର ରେଳଷ୍ଟେଶନରେ ମାଗଣା ଓ୍ବାଇଫାଇ ବ୍ୟବସ୍ଥା ହେବା ପରେ ଏହା ତାଲିକାର ଶେଷତମ ସ୍ଥାନରେ ରହିଛି। ଏ ସମ୍ପର୍କରେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ୨୦୧୬ ଜାନୁୟାରୀରେ ଆରମ୍ଭ ହୋଇଥିବା ଏହି ଯୋଜନା ତିନିବର୍ଷ ଭିତରେ ଦେଶର ୫ ହଜାର ଷ୍ଟେଶନକୁ ଛୁଇଁପାରିଛି ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମୁମ୍ବାଇ ସେଣ୍ଟ୍ରାଲ ରେଲ୍‌ଓ୍ବେ ଷ୍ଟେଶନରୁ ଶୁଭାରମ୍ଭ ହୋଇଥିଲା ମାଗଣା ଓ୍ବାଇଫାଇ ସେବା। ରେଲ୍‌ଓ୍ବେ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଓଡ଼ିଶାର ୧୬୩ରୁ ଊର୍ଦ୍ଧ୍ୱ ଷ୍ଟେଶନରେ ମାଗଣା ଓ୍ବାଇଫାଇ ସୁବିଧା ଉପଲବ୍ଧ କରାଯାଇଛି। ଏଥିରେ କାଟେଗୋରି-ବି, ସି, ଡି, ଇ ଷ୍ଟେଶନଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଯାତ୍ରୀମାନେ ଷ୍ଟେଶନରେ ଅଧଘଣ୍ଟା ପର୍ଯ୍ୟନ୍ତ ଏହି ଓ୍ବାଇଫାଇ ସେବାକୁ ବ୍ୟବହାର କରିପାରିବେ। ଓ୍ବାଇଫାଇ ଅନ୍‌ କରି ମୋବାଇଲ ନମ୍ବର ସହ ସାଇନ ଅପ୍‌ କଲେ ସେବା ଆପେ ଯୋଡି ହୋଇଯିବ। ଅଧଘଣ୍ଟା ପରେ ଆଉ ଅଧଘଣ୍ଟା ସେବା ପାଇବାକୁ ହେଲେ ଗୁଗଲ୍‌ର ଏକ ବିଜ୍ଞାପନ ଭିଡିଓ ଦେଖିବାକୁ ପଡିବ। ଏହାପରେ ଆପେ ଅତିରିକ୍ତ ଅଧଘଣ୍ଟା ଓ୍ବାଇଫାଇ ସେବା ବ୍ୟବହାର କରିବା ପାଇଁ ଅନୁରୋଧ ଆସିବ।

Share