୫.୭୦ଲକ୍ଷ ଲୁଟ୍‌ ଘଟଣା, ୫ଗିରଫ

ପାଟଣାଗଡ, ୨୫ା୧୨ (ଡି.ଏନ.ଏ.): ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ ନୁନହାଡ ଗ୍ରାମ ନିକଟରେ ଗତ ୧୫ ତାରିଖ ସନ୍ଧ୍ୟାରେ ଜଣେ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ୭୦ ହଜାର ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାପାଶ ହୋଇଛି। ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରଛି। ଗିରଫ ଅଭିଯୁକ୍ତମାନେ ହେଲେ କଣ୍ଟାବାଞ୍ଜିର ରିତୁ ମହାନନ୍ଦ, କମଳାକାନ୍ତ ବୋଏ, ରମେଶ ବୋଏ, ବିଷ୍ଣୁ ଭରାସାଗର ଏବଂ ହେମନ୍ତ ଶବର। ଲୁଟ୍‌ରେ ବ୍ୟବହୃତ ଏକ ବଜାଜ ପ୍ଲାଟିନା ବାଇକ, ଗୋଟିଏ ଖଣ୍ଡା, ଲାଠି, ୫ଟି ମୋବାଇଲ ଫୋନ ଜବତ କରାଯାଇଛି। ଲୁଟେରାମାନଙ୍କଠାରୁ ଜବତ ହୋଇଛି ନଗଦ ୪୯ହଜାର ୨୦୦ଟଙ୍କା। ଅଭିଯୁକ୍ତମାନେ ଦୋଷ ସ୍ବୀକାର କରିଛନ୍ତି। ଏ ନେଇ ପାଟଣାଗଡ ଥାନା ପରିସରରେ ବୁଧବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପଖଣ୍ଡ ପୋଲିସ ଅଧିକାରୀ(ଏସ୍‌ଡିପିଓ) ସୁରେଶ ନାଏକ।
ଏସ୍‌ଡିପିଓ ନାୟକଙ୍କ ସୂଚନା ଅନୁସାରେ ଗତ ୧୫ ତାରିଖ ଦିନ କଣ୍ଟାବାଞ୍ଜିର ବ୍ୟବସାୟୀ ଅନୀଲ ଅଗ୍ରୱାଲଙ୍କ ମୁନସୀ ସତ୍ୟନାରାୟଣ ରେଡ୍ଡି ପାଟଣାଗଡ ଏବଂ ବେଲପଡା ଅଞ୍ଚଳରୁ ବ୍ୟବସାୟ ବାବଦ ୫ଲକ୍ଷ ୭୦ହଜାର ଟଙ୍କା ସଂଗ୍ରହ କରି ବାଇକରେ କଣ୍ଟାବାଞ୍ଜି ଅଭିମୁଖେ ଯାଉଥିଲେ। ସେହି ସମୟରେ ବେଲପଡା ଥାନା ନୁନହାଡ ଗ୍ରାମ ଶେଷମୁଣ୍ଡରେ କେତେକ ଦୁର୍ବୃତ୍ତ ତାଙ୍କୁ ପ୍ରଥମେ ଏକ ଲାଠିରେ ମାଡ ମାରିଥିଲେ। ଗାଡିରୁ ପଡିଯିବା ପରେ ତାଙ୍କୁ ଏକ ଖଣ୍ଡା ଦେଖାଇ ଭୟଭୀତ କରିଥିଲେ। ପରେ ସେମାନେ ରେଡ୍ଡିଙ୍କ ପାଖରେ ଥିବା ଟଙ୍କା ବ୍ୟାଗ ଧରି ଫେରାର ହୋଇଯାଇଥିଲେ। ପରେ ଲୁଟ୍‌ର ଶିକାର ସତ୍ୟନାରାୟଣ ରେଡ୍ଡି ଏ ନେଇ ବେଲପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ଏକ ମାମଲା(ନଂ.୨୫୦/୧୯) ରୁଜୁ ହୋଇଥିଲ। ଏସ୍‌ପି ସନ୍ଦୀପ ମାଡକରଙ୍କ ନିର୍ଦ୍ଦେଶକ୍ରମେ ପାଟଣାଗଡ ଏସ୍‌ଡିପିଓ ସୁରେଶ ନାଏକ ଏବଂ କଣ୍ଟାବାଞ୍ଜି ଏସ୍‌ଡିପିଓ ସରୋଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ କରାଯାଇ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଥିଲା।

Share