Categories: ବାଣିଜ୍ୟ

୬ଘଣ୍ଟା ଅଚଳ ରହିଲା ଏୟାର ଇଣ୍ଡିଆ ସର୍ଭର: ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ,୨୮-୪: ଏୟାର ଇଣ୍ଡିଆ ଫ୍ଲାଇଟ୍ସ ସର୍ଭର ଶନିବାର ୬ ଘଣ୍ଟା ଅଚଳ ହୋଇଯିବା ପରେ ୧୫୫ଟି ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ପ୍ରଭାବିତ ହୋଇଥିଲା। ଫଳରେ ଏଥିରେ ଯାତ୍ରୀଙ୍କୁ ଅଯଥା ହଇରାଣ ହେବାକୁ ପଡ଼ିଥିଲା। ସର୍ଭରକୁ ପ୍ରାୟ ୯ଟାରେ ଠିକ୍‌ କରାଯାଇଛି ବୋଲି ସିଏମ୍‌ଡି ଅଶ୍ୱିନୀ ଲୋହାନୀ ପ୍ରକାଶ କରିଛନ୍ତି। ତେବେ ଏହି କାରଣରୁ ଦିନର ଅବଶିଷ୍ଟ ଫ୍ଲାଇଟ ଚାଲିବାରେ ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଛି। ଯାହାର ନୂଆ ସିଡ୍ୟୁଲ୍‌ ଜାରି କରାଯାଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଶନିବାର ରାତି ସାଢ଼େ ୮ ଟା ଯାଏ ଉଡ଼ାଣ ପ୍ରଭାବିତ ହୋଇଥିଲା। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଏୟାର ଇଣ୍ଡିଆର ପାସେଞ୍ଜର ସର୍ଭିସେସ ସିଷ୍ଟମ ଶନିବାର ପ୍ରତ୍ୟୁଷ ସାଢ଼େ ୩ଟାରେ ଖରାପ ହୋଇଯାଇଥିଲା।

ସର୍ଭର ଅଚଳ କାରଣରୁ ଯାତ୍ରୀଙ୍କୁ ବୋର୍ଡିଂ ପାସ୍‌ ଜାରି କରାଯାଇପାରି ନ ଥିଲା। ଫଳରେ ଉଡ଼ାଣ ପ୍ରଭାବିତ ହୋଇଥିଲା। ଲୋହାନୀ କହିଛନ୍ତି ଯେ, ସୋସିଆଲ ମିଡିଆ ଏବଂ କଲ୍‌ ସେଣ୍ଟର ଜରିଆରେ ପ୍ରଭାବିତ ଯାତ୍ରୀଙ୍କୁ ସୂଚନା ଦିଆଯାଇଛି। ତେବେ ଯାତ୍ରୀଙ୍କ ସଂଖ୍ୟା ଅତ୍ୟଧିକ ହେବା କାରଣରୁ କଲ୍‌ ସେଣ୍ଟର ସମସ୍ତ ଯାତ୍ରୀଙ୍କୁ ସୂଚନା ଦେବାରେ ବିଫଳ ହୋଇଛି। ବିମାନରେ ଯାଇ ପାରୁ ନ ଥିବା ଯାତ୍ରୀଙ୍କୁ ହୋଟେଲରେ ରହିବାର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ସେମାନଙ୍କୁ ଅନ୍ୟ ଏୟାରଲାଇନ ଜରିଆରେ ସିଫ୍‌ଟ କରାଯାଇଛି।

ତେବେ ସର୍ଭର ସାମୟିକ ଅଚଳ ହେବାର କାରଣ ଯାଞ୍ଚ କରାଯାଉଛି ବୋଲି ଲୋହାନୀ କହିଛନ୍ତି। ସୂଚନାଥାଉ କି, ଏୟାର ଇଣ୍ଡିଆ ଏସ୍‌ଆଇଟିଏ କମ୍ପାନୀର ପାସେଞ୍ଜର ସର୍ଭିସେସ୍‌ ସିଷ୍ଟମ ବ୍ୟବହାର କରିଥାଏ। ଦେଶରେ କାର୍ଯ୍ୟରତ ଅନ୍ୟ କୌଣସି ଏୟାରଲାଇନ୍ସ ଏହି ସିଷ୍ଟମ ବ୍ୟବହାର କରନ୍ତି ନାହିଁ। ଗତବର୍ଷ ଜୁନ୍‌ ୨୩ରେ ଏୟାର ଇଣ୍ଡିଆର ଚେକ୍‌ ଇନ୍‌ ସଫ୍ଟଓ୍ବେୟାରରେ ଏଭଳି ପ୍ରଯୁକ୍ତିଗତ ତ୍ରୁଟି ଦେଖାଯାଇଥିଲା। ଏହାଦ୍ୱାରା ୨୫ ଘରୋଇ ଉଡ଼ାଣ ପ୍ରଭାବିତ ହୋଇଥିଲା।

Share