୬ଦଫା ଦାବିରେ କୃଷକ ମହାସଂଘର ସ୍ମାରକପତ୍ର

ଜଳେଶ୍ୱର,୩।୬(ସ୍ବ.ପ୍ର)- ବାଲେଶ୍ୱର ଜିଲାର ଜଳେଶ୍ୱର କୃଷି ଜିଲା କୃଷକ ମହାସଂଘ ପକ୍ଷରୁ ବୁଧବାର ୬ଦଫା ଦାବି ନେଇ ଏକ ସ୍ମାରକପତ୍ର କୃଷି ଜିଲା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି।  ‘ଅମ୍ପନ’ ଦ୍ୱାରା ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳର ଚାଷୀମାନଙ୍କର ବ୍ୟାପକ କ୍ଷତି ହୋଇଥିବାରୁ ଏ ସଞ୍ଚଳର ସମସ୍ତ କୃଷିଋଣକୁ ଛାଡ କରାଯିବାକୁ ସେମାନେ ଦାବି ଜଣାଇଛନ୍ତି। ସମବାୟ ସମିତି ଜରିଆରେ ନିର୍ଦ୍ଦିଷ୍ଟ ସମୟରେ ଧାନକ୍ରୟ ଓ ଅତିଶୀଘ୍ର ସହାୟକ ମୂଲ୍ୟପ୍ରଦାନ କରାଯିବା, କ୍ଷତିଗ୍ରସ୍ତ ଚାଷୀଙ୍କୁ ସବ୍‌ସିଡି ଓ ବୀମା ପ୍ରଦାନ କରିବା, ପଙ୍ଗପାଳ ଦାଉରୁ ଫସଲ ରକ୍ଷା ନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ, ଖରିଫ ଚାଷ ନିମନ୍ତେ ବିହନ ଓ କୃଷିଯନ୍ତ୍ରପାତି ମାଗଣାରେ ଯୋଗାଇବା, କୃଷକର କେତେକ ଗାଡିକୁ ପୁଲିସ୍‌ ଅଟକାଇ ଚାନ୍ଦା ଆଦାୟ କରୁଥିବା ଅଭିଯୋଗର ତଦନ୍ତ କରାଯିବାକୁ ଜଳେଶ୍ୱର ବ୍ଲକ ସଭାପତି ଦୀନବନ୍ଧୁ ଜେନା, ଭୋଗରାଇ ବ୍ଲକ ସଭାପତି ତ୍ରିଲୋଚନ ଦାସ, ବାଲିଆପାଳ ବ୍ଲକ ସଭାପତି ଅନାଦି ଗିରି, ଆବାହାକ ସୁଦାମ ଚରଣ ପାତ୍ର, ମନୋରଞ୍ଜନ ଦାସ, କମଳ ଚକ୍ରବର୍ତ୍ତୀ, ଆଶିଷ କୁମାର ଗିରି, ସୁକୁମାର ରଣା, ଅନନ୍ତ କୁମାର ଘୋଷ, ସରୋଜ ପାତ୍ର ପ୍ରମୁଖ ଲିଖିତଭାବେ ସ୍ମାରକପତ୍ରରେ ଦର୍ଶାଇଛନ୍ତି।