Categories: ରାଜ୍ୟ

୬ଦିନ ବର୍ଷିବ, ୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୩୦ା୭(ବ୍ୟୁରୋ): ଟ୍ରପ୍‌ ଲାଇନ, ଘୂର୍ଣ୍ଣି ବଳୟ ଓ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି। ଗତ ଦୁଇତିନି ଦିନ ହେଲା ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି। ରବିବାର ରାତିରୁ ଏତେ ମାତ୍ରାରେ ବର୍ଷା ହୋଇଛି ଯେ ସୋମବାର ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଓ ବରଗଡ଼ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। କେଉଁଠି ପୋଲ ଉପରେ ପାଣି ଯାଉଛି ତ ଆଉ କେଉଁଠି ରାସ୍ତା ଉପରେ ପାଣିର ସୁଅ ଛୁଟୁଛି। ତେଣୁ ଏସବୁ ଜିଲାର ଅଧିକାଂଶ ଅଞ୍ଚଳରେ ଯାତାୟତ ଏକପ୍ରକାର ଠପ୍‌ ହୋଇଯାଇଛି। ସେପଟେ ଆସନ୍ତା ୬ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି। ମଙ୍ଗଳବାର ରାଜ୍ୟର ୯ଟି ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି।
ଲଗାଣ ବର୍ଷା ଯୋଗୁ କେଉଁଠି ବନ୍ୟା ପରିସ୍ଥିତି ଦେଖାଦେଲାଣି ତ ଆଉ କେଉଁଠି ବର୍ଷା ଲୁଚକାଳି ଖେଳୁଛି। ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ଠିକ୍‌ ଭାବେ ହେଉ ନ ଥିବାରୁ ଶହଶହ ଏକର ଚାଷ ଜମି
ଶୁଖିଲା ପଡ଼ିଛି। ଚାଷୀମାନେ ଭଲ ବର୍ଷାକୁ ଅପେକ୍ଷା କରି ରହିଛନ୍ତି। ଲଘୁଚାପରୁ ସାମାନ୍ୟ ବର୍ଷା ହୋଇଥିଲେ ବି ତାହା ଶୁଖିଲା ଜମି ପାଇଁ ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି। ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲାର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ଦେଖାଦେଇଛି। ଅନ୍ୟପକ୍ଷରେ ପାଣିପାଗ ବିଭାଗ ଆଶା ଦେଖାଇଛି ଯେ ସପ୍ତାହେ ଯାଏ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ତେବେ ସକ୍ରିୟ ମୌସୁମୀ ସହ ଟ୍ରପ୍‌ ଲାଇନ୍‌ ଓ ଘୂର୍ଣ୍ଣିବଳୟ ଯୋଗୁ ଅଗଷ୍ଟ ପହିଲାରୁ ସାରା ରାଜ୍ୟରେ କିଛିଦିନ ଧରି ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ଆର ବିଶ୍ୱାସ କହିଛନ୍ତି।

Share