୬ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚୋରା ବେପାରୀ ଗିରଫ

ବାଲେଶ୍ୱର ଅଫିସ,୧୧।୭- ବାଲେଶ୍ୱର ଜିଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ବସ୍‌ଷ୍ଟାଣ୍ଡ ନିକଟରେ କଟକରୁ ଆସିଥିବା ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡ ବୁଧବାର ପୂର୍ବାହ୍ନରେ ଚଢାଉ କରି ୮୦କେଜି ଗଞ୍ଜେଇ ଜବତ କରିଛି। ଏ ନେଇ ଗଞ୍ଜେଇ ନେଇ ଯାଉଥିବା ଚୋରା ବେପାରୀ ସେକ୍‌ ରିୟାଜୁଦ୍ଦିନ (୨୫)ଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ।
ବହୁ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନାକୁ ଆଧାର କରି କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡ-୨ ଚୋରା ବେପାରୀଙ୍କୁ ଅନୁସରଣ କରି ପଛେପଛେ ଆସିଥିଲେ। ସୋର ବସ୍‌ଷ୍ଟାଣ୍ଡ ନିକଟରେ ଧରପଗଡ କରାଯାଇ ଗଞ୍ଜେଇ ଜବତ କରାଯାଇଥିଲା। ସୋର ଓ ଏହାର ଆଖପାଖ ଅଞ୍ଚଳରେ ଏହାକୁ ବିକ୍ରି କରିବାକୁ ଅଣାଯାଉଥିଲା ବୋଲି କୁହାଯାଉଛି। ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡ଼ ଏ ନେଇ ଏକ ମାମଲା (ନଂ. ୬୭/୧୯-୨୦) ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ ବାଲେଶ୍ୱର କୋର୍ଟରେ ହାଜର କରିଛି। ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଥିବା ଫ୍ଲାଇଙ୍ଗ ସ୍କ୍ବାଡ଼-୨ର ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲ ପ୍ରକାଶ କରିଛନ୍ତି। ଚଢ଼ାଉ କାର୍ଯ୍ୟରେ ଏସ୍‌ଆଇ ଧନଞ୍ଜୟ ପାତ୍ର, କନଷ୍ଟେବଳ କିଶୋର ରାଉତ, ପ୍ରଦୀପ ବେହେରା, ଅଞ୍ଜନାବାଳା ନାୟକ ପ୍ରମୁଖ ସହାୟତା କରିଥିଲେ।