୬୦୦ କିଲୋମିଟର ସାଇକେଲ ଚଳାଇ ସଲମାନ୍‌ଙ୍କୁ ଭେଟିଲେ ପ୍ରଶଂସକ

ଗୁଆହାଟି, ୧୪।୨: ଚଳିତବର୍ଷ ଫିଲ୍ମ ଫେୟାର ମୁମ୍ବାଇରେ ନ ହୋଇ ଆସାମର ରାଜଧାନୀ ଗୁଆହାଟିଠାରେ ଅନୁଷ୍ଠିତ ହେବ। ଫେବୃୟାରୀ ୧୫ ଏବଂ ୧୬ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପୂର୍ବରୁ ବିଜେତାଙ୍କ ନାମ ଘୋଷଣା ହୋଇସାରିଛି। ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ର ଅନ୍ୟ ଷ୍ଟାରମାନଙ୍କ ସହ ସଲମାନ୍‌ ମଧ୍ୟ ଯୋଗଦେବେ। ଏହି ସୁଯୋଗରେ ସଲମାନଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ୬୦୦ କିଲୋମିଟର ସାଇକେଲ ଚଲାଇ ଗୁଆହାଟିରେ ପହଞ୍ଚିଛନ୍ତି। ତିନ୍‌ସୁକିଆ ଜିଲାର ଜୁଗୁନ୍‌ରେ ରହୁଥିବା ଭୂପେନ୍‌ ଲିକ୍ସନ ୮ ଫେବୃୟାରୀରେ ଏହି ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। ସେ ନିଜ ସାଥୀରେ ସଲମାନଙ୍କ ଏକ ବଡ଼ ଫଟୋ ମଧ୍ୟ ଆଣିଛନ୍ତି। ୫୨ ବର୍ଷୀୟ ଭୂପେନ୍‌ ସଲମାନଙ୍କ ଜଣେ ବଡ଼ ପ୍ରଶଂସକ।
୨୦୧୩ରେ ଭୂପେନ ସାଇକେଲ୍‌ ହ୍ୟାଣ୍ଡେଲ୍‌ ନ ଧରି ୪୮ କିଲୋମିଟର ଯାତ୍ରା କରିଥିଲେ। ତାଙ୍କର ଏହି ରେକର୍ଡ ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ’ରେ ସ୍ଥାନ ପାଇଛି। ସଲମାନ ସାଇକ୍ଲିଂକୁ ପସନ୍ଦ କରୁଥିବାରୁ ଭୂପେନ୍‌ ଏପରି ତରିକା ଆପଣାଇଛନ୍ତି। ଏବେ ବି ବେଳେବେଳେ ସଲମାନ ମୁମ୍ବାଇ ଗଳିକନ୍ଦିରେ ସାଇକେଲ ଚଳାଉଥିବା ନଜର ଆସିଥାଏ।

Share