୬୧ ହଜାର କିଲୋମିଟର ଯାତ୍ରା କରି, ମଥାରେ ଲଗାଇଲେ ୪୦ ଶହୀଦ ଯବାନଙ୍କ ଘରର ମାଟି

ଶ୍ରୀନଗର,୧୪।୨: ଗତବର୍ଷ ପୁଲଓ୍ବାମାରେ ଶହୀଦ ହୋଇଥିବା ୪୦ ଯବାନଙ୍କୁ ଶୁକ୍ରବାର ଶ୍ରୀନଗରରେ ଥିବା ସିଆର୍‌ପିଏଫ୍‌ର ଲେଥପୋରା ଶହୀଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମହାରାଷ୍ଟ୍ରର ଉମେଶ ଗୋପିନାଥ ଯାଦବ ଏହି ଶ୍ରଦ୍ଧାଞ୍ଜଳି ଉତ୍ସବର ବିଶେଷ ଅତିଥି ଥିବା ସୂଚନା ମିଳିଛି। ଉମେଶ ପୁଲଓ୍ବାମାରେ ଶହୀଦ ହୋଇଥିବା ୪୦ ଯବାନଙ୍କ ପରିବାରଙ୍କୁ ଭେଟିବାକୁ ପାଖାପାଖି ୬୧ ହଜାର କିଲୋମିଟର ଯାତ୍ରା କରିଛନ୍ତି। ଏହାସହ ସେ ସମସ୍ତ ଶହୀଦ ଯବାନଙ୍କ ଘର, ଶ୍ମଶାନ ଓ ସ୍ମାରକସ୍ଥଳରୁ ମାଟି ଏକାଠି କରି ଶ୍ରୀନଗରେ ପହଞ୍ଚିଛନ୍ତି। ଏହାକୁ ନେଇ ଉମେଶ କହିଛନ୍ତି, ମୁଁ ଆଜି ଗର୍ବିତ ଯେ ସମସ୍ତ ପୁଲଓ୍ବାମା ଶହୀଦଙ୍କ ଘରେ ପହଞ୍ଚିପାରି ସେମାନଙ୍କ ପରିବାରର ଆଶୀର୍ବାଦ ନେଇପାରିଛି। ସୂଚନାଯୋଗ୍ୟ, ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ବର୍ଷେ ପୁରିଛି। ଏଥିରେ ଶହୀଦ ହୋଇଥିବା ୪୦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରୀନଗର ଲୋଥପରା ଶିବିର ନିକଟରେ ଏକ ସ୍ମାରକସ୍ଥଳ ଉଦ୍‌ଘାଟନ କରାଯାଇଛି। ଯେଉଁଠାରେ ଏହି ଶହୀଦ ଯବାନଙ୍କୁ ଜୈଶ-ଇ-ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ କରାଯାଇଥିଲା ସେହି ନିକଟରେ ଶହୀଦ ସ୍ମାରକସ୍ତମ୍ଭ ନିର୍ମାଣ କରାଯାଇଛି।

Share