୬୨୮୪ ସରକାରୀ ବିଦ୍ୟାଳୟକୁ ‘ଗରିମା’ ତାମ୍ର ପୁରସ୍କାର

ଭୁବନେଶ୍ୱର, ,୫ା୧୧(ବ୍ୟୁରୋ): ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଜ୍ୟର ୬୨୮୪ ସରକାରୀ ବିଦ୍ୟାଳୟ ‘ଗରିମା’ ତାମ୍ର ପୁରସ୍କାର ପାଇବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯିବ। ବିଭାଗ ପକ୍ଷରୁ ନୂତନ ଭାବେ ପ୍ରଚଳିତ ସାର୍ଟିଫିକେଟ୍‌ ପ୍ରୋଗ୍ରାମ ଅନୁଯାୟୀ ‘ଗରିମା’ ତାମ୍ର, ରୋପ୍ୟ ଓ ସ୍ବର୍ଣ୍ଣ ପୁରସ୍କାର ପର୍ଯ୍ୟାୟକ୍ରମେ ଦିଆଯିବ। ଏହି କାର୍ଯ୍ୟକ୍ରମ ଚଳିତବର୍ଷ ଅଗଷ୍ଟରୁ ଆରମ୍ଭ ହୋଇଛି। ସୂଚନାନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୩୫୦୦ ସରକାରୀ ବିଦ୍ୟାଳୟ ପୁରସ୍କାର ପାଇଁ ଆବେଦନ କରିଥିଲେ। ଏହି ସବୁ ବିଦ୍ୟାଳୟକୁ ବ୍ଲକ ଶିକ୍ଷାଧିକାରୀଙ୍କ ନେତୃତ୍ୱରେ ଗଠିତ ଏକ ଦଳ ପ୍ରାଥମିକ ତଦନ୍ତ କରିବା ପରେ ସମ୍ପୃକ୍ତ ଜିଲାର ଡାଏଟ୍‌ କର୍ତ୍ତୃପକ୍ଷ ସବିଶେଷ ବିବରଣୀ ସଂଗ୍ରହ କରିଥିଲେ। ବ୍ଲକ ସ୍ତରରେ ପ୍ରାଥମିକ ପର୍ଯ୍ୟାୟରେ ପଞ୍ଜୀକୃତ ୧୮୩୫୩ ବିଦ୍ୟାଳୟ ମଧ୍ୟରୁ ୬୨୪୮ବିଦ୍ୟାଳୟକୁ ‘ଗରିମା’ ତାମ୍ର ପୁରସ୍କାର ଦେବା ପାଇଁ ସୁପାରିଶ କରାଯାଇଛି। ଶିକ୍ଷା କ୍ଷେତ୍ରରେ ଛାତ୍ରୀଛାତ୍ରମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ତାମ୍ର ପୁରସ୍କାର ଦିଆଯାଉଛି। ଏହି ପୁରସ୍କାର ଜିଲା ସ୍ତରରେ ଅନୁଷ୍ଠିତ ‘ସୁରଭି-୨୦୧୯’ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଜିଲାପାଳ ବିଦ୍ୟାଳୟ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଦାନ କରିବେ। ଗତ ଅଗଷ୍ଟରେ ଅନୁଷ୍ଠିତ ବ୍ଲକ ଓ କ୍ଲଷ୍ଟରସ୍ତରରେ ୭୦% ଦକ୍ଷତା ପ୍ରଦର୍ଶନ କରିଥିବା ସୁନ୍ଦରଗଡ଼ ଜିଲାର ସବଡେଗା ଓ ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବ୍ଲକ ସମେତ ୫୮ କ୍ଲଷ୍ଟର ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ, ଏନେଇ ଚୟନ ପ୍ରକ୍ରିୟାରେ ସମସ୍ତ ଜିଲା ଓ ବ୍ଲକ ଶିକ୍ଷାଧିକାରୀ, ଡାଏଟ୍‌ ଅଧ୍ୟକ୍ଷ, ସିଆର୍‌ସିସି ରହିଛନ୍ତି। ଏହି ନୂତନ ପ୍ରୋତ୍ସାହନ ବ୍ୟବସ୍ଥା ଶିକ୍ଷା, ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷା ହାସଲରେ ନିଶ୍ଚିତ ସକାରାତ୍ମକ ଅଭିବୃଦ୍ଧି ଆଣିବା ସହ ଆସନ୍ତା ଡିସେମ୍ବରରେ ‘ଗରିମା’ ରୌପ୍ୟ ପୁରସ୍କାର ପାଇବାରେ ସହାୟକ ହେବ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ କହିଛନ୍ତି।

Share