୬୩ନଂ. ବୁଥ୍‌ରେ ସାନି ମତଦାନ: ୯୯୬ରୁ ୫୩୯ଜଣ ଦେଲେ ଭୋଟ

ବ୍ରହ୍ମପୁର ଅଫିସ୍‌,୧୯ା୪-ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୬୩ନମ୍ବର ବୁଥ୍‌ରେ ଗୁରୁବାର ସାନି ମତଦାନ ଅନୁଷ୍ଠିତ ହୋଇଯାଇଛି। ସିଟି ହାଇସ୍କୁଲସ୍ଥିତ ବୁଥ୍‌ରେ ମତଦାନ ଗ୍ରହଣ କରାଯାଇଥିଲା। ଏହି ବୁଥ୍‌ରେ ମୋଟ ୯୯୬ଜଣ ଭୋଟର୍‌ ଅଛନ୍ତି । ସେଥିରୁ ୫୩୯ଜଣ ଭୋଟ୍‌ ଦେଇଛନ୍ତି। ସେଥିରେ ୨୭୮ ପୁରୁଷ ଥିବା ବେଳେ ୨୬୧ ହେଉଛନ୍ତି ମହିଳା। ମତଦାନ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଏବଂ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବା ସହ ସିସିଟିଭି କ୍ୟାମେରା ଖଞ୍ଜା ଯାଇଥିଲା। ଗତ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍‌ଗ୍ରହଣ କରାଯାଇଥିଲା। ଏହି ବୁଥ୍‌ରେ ୬୧୧ଜଣ ଭୋଟ୍‌ ଦେଇଥିବା ନେଇ ନାମ ପଞ୍ଜୀକୃତ ହୋଇଥିଲା। କିନ୍ତୁ ଇଭିଏମ୍‌ରେ ୬୩୨ ଭୋଟ୍‌ ପଡ଼ିଥିଲା। ଫଳରେ ଏହି ବୁଥ୍‌ରେ ସାନି ମତଦାନ ପାଇଁ ରିଟର୍ଣ୍ଣିଂ ଅଫିସର ତଥା ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ ରାଉତରାୟ ଭାରତର ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାନି ମତଦାନ ପାଇଁ ଅନୁରୋଧ କରିଥିଲେ । ଏହାକୁ ଗ୍ରହଣ କରି ୬୩ନଂ. ବୁଥ୍‌ରେ ସାନି ମତଦାନ ପାଇଁ ନିର୍ବାଚନ କମିସନଙ୍କ ତରଫରୁ ଘୋଷଣା କରାଯାଇଥିଲା। ପୂର୍ବରୁ ଭୂଲ୍‌କୁ ସୁଧାରିବା ପାଇଁ ଗୁରୁବାର କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା। ପ୍ରିଜାଇଡିଂ ଏବଂ ପୋଲିଂ ଅଫିସର୍‌ମାନେ ସତର୍କତାର ସହ ମତଦାନ  କରିଥିଲେ। ପୋଲିସ ତରଫରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଟାଉନ୍‌ ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି ନିଜେ ବୁଥ୍‌ରେ ଉପସ୍ଥିତ ଥିଲେ ।