ନୂଆଦିଲ୍ଲୀ,୨୦।୧: ଦେଶର ୧ ପ୍ରତିଶତ ଧନୀକଙ୍କ ପାଖରେ ୭୦ ପ୍ରତିଶତ ଲୋକଙ୍କ ପାଖରେ ଥିବା ସମ୍ପତ୍ତି ଠୁଳ ହୋଇ ରହିଛି। ଏସବୁ ଧନୀକଙ୍କ ପାଖରେ ଥିବା ସମ୍ପତ୍ତି ଦେଶର ୯୫ କୋଟି ଲୋକଙ୍କ ପାଖରେ ଥିବା ସମ୍ପତ୍ତି ସହ ସମାନ। ସେହିପରି ୬୩ ଅରବପତି ଧନୀକଙ୍କ ପାଖରେ ଦେଶର ଗୋଟିଏ ବର୍ଷ ବଜେଟ୍ ତୁଳନାରେ ଅଧିକ ସମ୍ପତ୍ତି ରହିଛି। ଏନେଇ ଓକ୍ସଫାମ୍ ପକ୍ଷରୁ ଏକ ତଥ୍ୟ ଭିତ୍ତିକ ରିପୋର୍ଟ ‘ଟାଇମ୍ ଟୁ କେୟାର’ରେ ସୋମବାର ପ୍ରକାଶ ପାଇଛି। ଓକ୍ସଫାମ୍ ଧନୀ-ଗରିବଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଦୂର କରିବା କ୍ଷେତ୍ରରେ କାର୍ଯ୍ୟ କରିଥାଏ। ୨୦୧୮-୧୯ରେ ଦେଶର ବଜେଟ ୨୪ ଲକ୍ଷ ୪୨ ହଜାର ୨ଶହ କୋଟି ଟଙ୍କା ଥିଲା ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଘରେ କାମ କରୁଥିବା ଜଣେ ମହିଳାଙ୍କ ରୋଜଗାର ଟେକ୍ କମ୍ପାନୀରେ କାମ କରୁଥିବା ସିଇଓଙ୍କ ଏକ ବର୍ଷର ଦରମା ମଧ୍ୟରେ ଆକାଶ ପାତାଳ ଫରକ ରହିଛି। ମହିଳା ଜଣଙ୍କୁ ଏହି ଟଙ୍କା ରୋଜଗାର କରିବା ପାଇଁ ୨୨ ହଜାର ୨ ଶହ ୭୭ ବର୍ଷ ଲାଗିଯିବ। ଭାରତରେ ସମ୍ପ୍ରତି ପ୍ରଣୟନ କରାଯାଇଥିବା ଅର୍ଥବ୍ୟବସ୍ଥାରେ ମହିଳା ଏବଂ ଯୁବତୀ କମ୍ ସୁଫଳ ପାଇବେ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ପୃଥିବୀରେ ଅରବପତିଙ୍କ ସଂଖ୍ୟା ୨ ଗୁଣା ବଢ଼ିଥିବା ଏଥିରେ ପ୍ରକାଶ ପାଇଛି। ପୃଥିବୀର ୨ ହଜାର ଶହେ ୫୩ ଅରବପତିଙ୍କ ପାଖରେ ଥିବା ସମ୍ପତ୍ତି ୪୬୦ କୋଟି ଲୋକ ଅର୍ଥାତ୍ ୬୦ ପ୍ରତିଶତ ଜନସଂଖ୍ୟାଙ୍କ ସମ୍ପତ୍ତି ସହ ସମାନ ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ପୃଥିବୀର ୨୨ ଜଣ ଧନୀକଙ୍କ ସମ୍ପତ୍ତି ଆଫ୍ରିକାର ସମସ୍ତ ମହିଳାଙ୍କ ସମ୍ପତ୍ତି ସହିତ ସମାନ ଥିବା ଏଥିରେ ପ୍ରକାଶ ପାଇଛି।