୬୪ ଦିନରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଟପିଲା ଲକ୍ଷେ: ଅନ୍ୟ ଦେଶ ତୁଳନାରେ ସ୍ଥିତି ନିୟନ୍ତ୍ରଣରେ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୯।୫: ପୃଥିବୀରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି। କରୋନା ସଂକ୍ରମଣ କ୍ଷେତ୍ରରେ ଭାରତର ସ୍ଥିତି ପୃଥିବୀର ଅନ୍ୟ ଦେଶ ତୁଳନାରେ ନିୟନ୍ତ୍ରଣରେ ରହିଛି। କରୋନା ଓ୍ବାଲର୍‌ଡ ମିଟର ତଥ୍ୟ ଅନୁସାରେ ଭାରତରେ ୬୪ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଶହେରୁ ଲକ୍ଷେ ଟପିଛି। ତେବେ ଆମେରିକାରେ ମାତ୍ର ୨୫ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଶହେରୁ ଲକ୍ଷେ ଛୁଇଁଥିବା ଏଥିରେ ଉଲ୍ଲେଖ କରାଯାଇଛି। ସେହିପରି ଇଟାଲିରେ ଏଥିପାଇଁ ୩୬ ଦିନ, ବ୍ରିଟେନ୍‌ରେ ୪୬ ଦିନ, ଫ୍ରାନ୍ସ୍‌ରେ ୩୯ ଦିନ, ଜର୍ମାନୀରେ ୩୫ ଦିନ ଏବଂ ସ୍ପେନ୍‌ରେ ୩୦ ଦିନ ସମୟ ଲାଗିଥିବା ଏଥିରେ ଦର୍ଶାଯାଇଛି। ଏସବୁ ଦେଶରେ ଭାରତ ଅପେକ୍ଷା ଅଧିକ ବିକଶିତ ସ୍ବାସ୍ଥ୍ୟ ସେବା ରହିଥିଲେ ବି କରୋନା ସଂକ୍ରମଣ ରୋକିବାରେ ସେମାନେ ଅସଫଳ ରହିଛନ୍ତି। ଅପରପକ୍ଷରେ ଭାରତ ଜନ ସଂଖ୍ୟା ଦୃଷ୍ଟିରୁ ପୃଥିବୀର ଦ୍ୱିତୀୟ ବୃହତମ ଦେଶ ହୋଇଥିଲେ ମଧ୍ୟ ଏଠାରେ କରୋନା ସଂକ୍ରମଣ ହାର ଯଥେଷ୍ଟ କମ୍‌ ରହିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

Share