୬୫ତମ ବନ୍ୟପ୍ରାଣୀ ସପ୍ତାହ ପାଳନ

ଖଡିଆଳ,୪।୧୦(ଡି.ଏନ.ଏ.) – ନୂଆପଡା ଜିଲା ଖଡିଆଳ ବନାଞ୍ଚଳ ପକ୍ଷରୁ ୬୫ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଆରମ୍ଭ ହୋଇଯାଇଛି । ଏହା ଆସନ୍ତା ୮ ତାରିଖରେ ଉଦଯାପିତ ହେବ। ଏହି ପରିପ୍ରେକ୍ଷୀରେ ଗୁରୁବାର ଖଡିଆଳ ବନାଞ୍ଚଳ ପକ୍ଷରୁ ଖଡିଆଳ ୱେଷ୍ଟର୍ଣ୍ଣ ଓଡିଶା ପବ୍ଲିକ ସ୍କୁଲର ଛାତ୍ରୀଛାତ୍ରମାନଙ୍କୁ ନେଇ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରୀଛାତ୍ର ଓ ବନବିଭାଗ କର୍ମଚାରୀମାନେ ମିଳିତ ଭାବେ ଖଡିଆଳ ଡିଏଫଓଙ୍କ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ବନ୍ୟପ୍ରାଣୀ ସୁରକ୍ଷା ଓ ପଲିଥିନ ବ୍ୟବହାର ବନ୍ଦ କରିବା ନେଇ ଲୋକଙ୍କୁ ସଚେତନ କରିଥିଲେ। ଖଡିଆଳ ବନାଞ୍ଚଳ ସଭାଗୃହଠାରେ ଖଡିଆଳ ରେଞ୍ଜର ସଦାନନ୍ଦ ସୁନାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଖଡିଆଳ ବନଖଣ୍ଡ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର, ଖଡିଆଳ କଲେଜ ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ମିଶ୍ର, କୁନୁ କରୁଆଁ, ଶିକ୍ଷାବିତ ସୁଭ୍ରାଂଶୁ ଶେଖର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବନ୍ୟଜନ୍ତୁଙ୍କୁ କିପରି ସୁରକ୍ଷା ଦେଇହେବ ଏବଂ ଜୈବ ବିବିଧତାର ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ସଭାରେ ବନାଞ୍ଚଳର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ବନରକ୍ଷୀ ମହାଦେବ ବନଛୋର ଧନ୍ୟବାଦ ଜଣାଇଥିଲେ ।