୬୫ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ: ଜଙ୍ଗଲ ଆୟତନ ୮୮୫ ବର୍ଗ କିଲୋମିଟର ବଢ଼ିଛି

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଭବନଠାରେ ୬୫ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥିଭାବେ ଯୋଗଦେଇ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ବାଲୁଖଣ୍ଡ, ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଚାଲୁ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ଯୋଗଦେଇ ରାଜ୍ୟ ବନବିଭାଗର ନିରନ୍ତର ପ୍ରୟାସ କ୍ରମେ ରାଜ୍ୟର ଜଙ୍ଗଲ ଆୟତନ ୮୮୫ ବର୍ଗ କିଲୋମିଟର ବୃଦ୍ଧି ପାଇଛି ବୋଲି କହିଛନ୍ତି।
ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ମୋନା ଶର୍ମା ଯୋଗଦେଇ ପରିବେଶ ପର୍ଯ୍ୟଟନ ଉପରେ ଆଲୋକପାତ କରିଥିଲେ। ପିସିସିଏଫ୍‌ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ ହାତୀମାନଙ୍କ ଚଳପ୍ରଚଳ ନିରୀକ୍ଷଣ ପାଇଁ ଆରମ୍ଭ ହୋଇଥିବା ‘ଗଜବନ୍ଧୁ’ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ବର୍ତ୍ତମାନ ଏହା ଢେଙ୍କାନାଳ ଜିଲାରେ କାର୍ଯ୍ୟକାରୀ ହେଉଥିବାବେଳେ ଆଉ ୫-୬ମାସ ପରେ ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ ଆରମ୍ଭ କରିବାକୁ ଯୋଜନା କରାଯିବ ବୋଲି ସେ କହିଛନ୍ତି।
ଏହି ଅବସରରେ ପୁରୀ ଜିଲା ଅସ୍ତରଙ୍ଗର ବିଚିତ୍ରାନନ୍ଦ ବିଶ୍ୱାଳଙ୍କୁ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏହାସହ ବନ୍ୟପ୍ରାଣୀ ଫଟୋଗ୍ରାଫି ପ୍ରତିଯୋଗିତାର ଶ୍ରେଷ୍ଠ ୩ ଜଣ ପ୍ରତିଯୋଗୀ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଭାଗର ବିଭିନ୍ନ ଶାଖା ଏବଂ ନନ୍ଦନକାନନ ପ୍ରାଣୀଉଦ୍ୟାନ ତରଫରୁ ପ୍ରକାଶିତ ବିଭିନ୍ନ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ବନ୍ୟଜନ୍ତୁଙ୍କ ସମ୍ପର୍କିତ ଏକ ପ୍ରଦର୍ଶନୀକୁ ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଶେଷରେ ନନ୍ଦନକାନନ ପ୍ରାଣୀଉଦ୍ୟାନର ନିର୍ଦ୍ଦେଶକ ଶଶି ପଲ୍‌ ଧନ୍ୟବାଦ ଅର୍ପଣ କରିଥିଲେ।

Share