ମୁମ୍ବାଇ, ୧୪।୬: ବଲିଉଡ୍ ଅଭିନେତ୍ରୀ କିରଣ ଖେର ରବିବାର ୬୫ ବର୍ଷରେ ପାଦ ଦେଇଛନ୍ତି। ୧୯୫୫ ଜୁନ୍ ୧୪ରେ ସେ ପଞ୍ଜାବଠାରେ ଜନ୍ମଗ୍ରହଣ କରିଥିଲେ। କିରଣ ଚଣ୍ଡିଗଡ଼ରେ ଥିବାରୁ ସ୍ବାମୀ ଅନୁପମ ଖେର ତାଙ୍କୁ ଟୁଇଟ୍ କରି ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଅନୁପମ ଏବଂ ପୁଅ ସିକନ୍ଦର ଖେର କିରଣଙ୍କୁ ମିସ୍ କରୁଛନ୍ତି ବୋଲି ଟୁଇଟ୍ କରିଛନ୍ତି। ସୂଚନାଯୋଗ୍ୟ, କିରଣଙ୍କ ଫିଲ୍ମ କ୍ୟାରିୟର ୧୯୮୩ରେ ପଞ୍ଜାବୀ ଫିଲ୍ମ ‘ଆସରା ପ୍ୟାର ଦା’ରୁ ଆରମ୍ଭ ହୋଇଥିଲା। ୧୯୯୬ରେ ଅମରେଶ ପୁରୀଙ୍କ ସହିତ ତାଙ୍କର ଫିଲ୍ମ ସରଦାରୀ ବେଗମ୍ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ୨୦୦୨ରେ ସଞ୍ଜୟ ଲୀଲା ଭଂସାଲିଙ୍କ ଫିଲ୍ମ ଦେବଦାସରେ ତାଙ୍କର ନିଖୁଣ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ୧୯୮୫ରେ କିରଣ ଅନୁପମଙ୍କୁ ବିବାହ କରିଥିଲେ। ୨୦୧୪ରେ ସେ ଭାଜପାରେ ଯୋଗଦେଇଥିଲେ। ପରେ ଚଣ୍ଡିଗଡ଼ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ।