୬୫% ବୟସ୍କଙ୍କ ଜୀବିକା ପ୍ରଭାବିତ

ନୂଆଦିଲ୍ଲୀ,୧୬ା୬(ପି.ଟି.): କରୋନାଜନିତ ଲକ୍‌ଡାଉନ ଯୋଗୁ ୬୫ ପ୍ରତିଶତ ବୟସ୍କ ବ୍ୟକ୍ତିଙ୍କ ଜୀବିକା ପ୍ରଭାବିତ ହୋଇଛି। ଏହି ସମୟରେ ସେମାନେ କାମଧନ୍ଦା ହରାଇଛନ୍ତି କିମ୍ବା ସେମାନଙ୍କୁ ମିଳୁଥିବା ବେତନ ଯଥେଷ୍ଟ ହ୍ରାସ ଘଟିଛି। ହେଲ୍ପଏଜ୍‌ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ଏହି ସଂସ୍ଥା ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୫,୦୯୯ ଜଣ ବୟସ୍କ ବ୍ୟକ୍ତିଙ୍କ ମତାମତ ନେଇ ରିପୋର୍ଟ ପ୍ରକାଶ କରିଛି। ‘ଦି ଏଲ୍ଡର ଷ୍ଟୋରି: ଗ୍ରାଉଣ୍ଡ ରିଏଲିଟି ଡ୍ୟୁରିଙ୍ଗ କୋଭିଡ୍‌-୧୯’ ଶୀର୍ଷକ ଏହି ରିପୋର୍ଟ ଅନୁଯାୟୀ ୬୫ ପ୍ରତିଶତ ବୟସ୍କଙ୍କ ଜୀବିକା ପ୍ରଭାବିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୭ ପ୍ରତିଶତଙ୍କ ବୟସ ୬୦ରୁ ୬୯ ବର୍ଷ ମଧ୍ୟରେ। ଅନ୍ୟ ୨୮ ପ୍ରତିଶତଙ୍କ ବୟସ ୭୦ରୁ ୭୯ ହୋଇଥିବାବେଳେ ୫ ପ୍ରତିଶତ ସବୁଠୁ ବୟସ୍କ (୮୦ ବର୍ଷରୁ ଅଧିକ)। ଲକ୍‌ଡାଉନବେଳେ ଘରର ରୋଜଗାରିଆ ସଦସ୍ୟ ଜୀବିକା ହରାଇଥିବା ୭୧ ପ୍ରତିଶତ କହିଥିଲେ। ସେମାନଙ୍କ ମଧ୍ୟରୁ ଗ୍ରାମାଞ୍ଚଳର ୬୧ ପ୍ରତିଶତ ହୋଇଥିବାବେଳେ ସହରାଞ୍ଚଳର ୩୯ ପ୍ରତିଶତ ବୋଲି ଏନ୍‌ଜିଓ ପକ୍ଷରୁ କୁହାଯାଇଛି।
ସର୍ଭେରୁ ଆହୁରି ଜଣାପଡ଼ିଛି ଯେ ଲକ୍‌ଡାଉନବେଳେ ୪୨ ପ୍ରତିଶତ ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା। ଗ୍ରାମାଞ୍ଚଳରୁ ୬୪ ପ୍ରତିଶତ ଏବଂ ସହରାଞ୍ଚଳରୁ ୩୬ ପ୍ରତିଶତ ଲୋକଙ୍କ ମତାମତ ସଂଗ୍ରହ କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି। ସର୍ଭେ ଅନୁଯାୟୀ ଲକ୍‌ଡାଉନବେଳେ ୭୮ ପ୍ରତିଶତ ବୟସ୍କ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ପାଇବାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ଗ୍ରାମାଞ୍ଚଳର ୮୪ ପ୍ରତିଶତ ବୟସ୍କ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ପାଇବାରେ ଅସୁବିଧାର ସାମ୍‌ନା କରିଥିବାବେଳେ ସହରାଞ୍ଚଳରେ ୭୧ ପ୍ରତିଶତ ସମସ୍ୟାରେ ପଡ଼ିଥିଲେ। ଲକ୍‌ଡାଉନବେଳେ ଘରେ ଏକାକୀ ଅନୁଭବ କରିଥିଲେ ବୋଲି ୬୧ ପ୍ରତିଶତ କହିଛନ୍ତି।

Share