Categories: ଜାତୀୟ

୬୬ମୌଲାନାଙ୍କ ସହ ସ୍କାଉଟ ଟ୍ରେନିଂ ନେଲେ ମୌଲାନା ମହୁମୁଦ୍‌ ମଦନି

ଭୋପାଳ,୧୬।୯: ଦେଶର ସବୁଠାରୁ ବଡ଼ ମୁସଲିମ ସଙ୍ଗଠନ ଜମିୟତ ଓଲେମା-ଇ-ହିନ୍ଦ ସହ ଜଡିତ ଥିବା ୬୬ ମୌଲାନା ସ୍କାଉଟ ଟ୍ରେନିଂ ନେଉଛନ୍ତି। ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଜମିୟତ-ଇ-ହିନ୍ଦର ମହାସଚିବ ମୌଲାନା ମହମୁଦ ମଦନୀ ନିଜ ୬୬ଜଣ ମୌଲାନା ଟିମ୍‌ ସହ ଟ୍ରେନିଂ ନେଉଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶର ପଚମଢ଼ିରେ ଥିବା ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ରାଷ୍ଟ୍ରୀୟ ପ୍ରଶିକ୍ଷଣ ସଂସ୍ଥାରେ କମିଶନର ସ୍ତରରେ ୪ର୍ଥ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଶେଷ ହେବ। ଦେଶରେ ଥିବା ୬୬ଟି ମଦ୍ରାସାର ବିଭାଗୀୟ ମୁଖ୍ୟ, ହାଫିଜ୍‌, ଆଲିମ, କାରୀ, ମୁଫତି ପ୍ରମୁଖ ଏହି ପ୍ରଶିକ୍ଷଣରେ ସାମିଲ ହୋଇଛନ୍ତି। ଭାରତର ସ୍କାଉଟ ଗାଇଡର ୯ଟି ନିୟମ ଇସଲାମ୍‌ ଅନୁସାରେ ଆସୁଥିବା ବେଳେ ଏହାର ପାଠ ଏବେ ଦେଶର ସବୁ ମଦ୍ରାସାରେ ପଢ଼ାଯିବ ବୋଲି ମୌଲାନା ମହମୁଦ କହିଛନ୍ତି। ଏହାକୁ ଅନୁସରଣ କରି ମୁସଲମାନ ପିଲା ଦେଶ ଓ ସମାଜକୁ ନୂଆ ଦିଗ ଦେଖାଇବେ। ଦେଶର ଯୁବା ବର୍ଗଙ୍କୁ ସେନା, ପୋଲିସ ଓ ସ୍କାଉଟର ପୋଷାକ ପିନ୍ଧିବାରେ ଗର୍ବ ଅନୁଭବ ହୋଇଥାଏ ବୋଲି ସେ କହିଛନ୍ତି। ପୂର୍ବରୁ ଏହି କାର୍ଯ୍ୟକ୍ରମ ଗୁଜରାଟ, ପଶ୍ଚିମ ଉତ୍ତରପ୍ରଦେଶ ଓ ହରିୟାଣାର ୧୭ଟି ଜିଲାରେ ଆୟୋଜନ କରାଯାଇସାରିଛି।

Share