୬୭ତମ ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

କଟକ ଅଫିସ,୨୮।୯: ବୃତ୍ତିଗତ ପ୍ରତିଯୋଗିତା ଦକ୍ଷତା ବୃଦ୍ଧି କରିଥାଏ। ପୋଲିସ ବିଭାଗର ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ନିମନ୍ତେ ଏଭଳି ପ୍ରତିଯୋଗିତା ଆୟୋଜନ କରାଯାଉଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଓଡ଼ିଶା ପୋଲିସ ପକ୍ଷରୁ ସ୍ଥାନୀୟ ବକ୍ସିବଜାର ରିଜର୍ଭ ପୋଲିସ ପଡିଆରେ ଶୁକ୍ରବାର ୬୭ତମ ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ମିଶ୍ର ଏହା କହିଛନ୍ତି। ଏଥିରେ ଡିଜିପି ବିଜୟ କୁମାର ଶର୍ମା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବୈଜ୍ଞାନିକ ପ୍ରଣାଳୀରେ ଅନୁସନ୍ଧାନ କ୍ଷେତ୍ରରେ ସହରାଞ୍ଚଳ ପୋଲିସ ଜିଲା କଟକକୁ ପ୍ରତିଯୋଗିତାରେ ଶ୍ରେଷ୍ଠ ଦଳ ଭାବେ ବିବେଚିତ କରାଯାଇ କ୍ଷେତ୍ରମୋହନ ବିଶ୍ୱାଳ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି ରାଜ୍ୟ କ୍ରାଇମବ୍ରାଞ୍ଚକୁ ରନର୍ସଅପ ଟ୍ରଫି ପ୍ରଦାନ କରାଯାଇଛି। କଟକ ସହରାଞ୍ଚଳ ପୋଲିସ ଜିଲାର ସବ୍‌ଇନ୍ସପେକ୍ଟର ମିତାଲି ମଧୁଲିତା ବିଶ୍ୱାଳଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଶ୍ରେଷ୍ଠ ଅନୁସନ୍ଧାନ ପାଇଁ ଏସ୍‌.କେ. ଘୋଷ ଟ୍ରଫି ଓ ଅର୍ଥରାଶି ଦିଆଯାଇଛି। ଏଥିସହିତ ରାଜ୍ୟ ବୃତ୍ତିଗତ ପ୍ରତିଯୋଗିତା ଓ ପୋଲିସ ଲ ଆଣ୍ଡ ପ୍ରୋସିଡିଓର ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମିତାଲିଙ୍କୁ ପୁରସ୍କୃତ କରାଯାଇଛି। କମ୍ପ୍ୟୁଟର ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ ଲାଗି ରାଉରକେଲା ପୋଲିସ ଜିଲାର କନଷ୍ଟେବଳ ପ୍ରଫୁଲ୍ଲ କୁମାର ପାତ୍ରଙ୍କୁ ରାଜ୍ୟ ଅପରାଧ ନଥି ସଂସ୍ଥା ଦ୍ୱାରା ପ୍ରଦତ୍ତ ଟ୍ରଫି ପ୍ରଦାନ କରାଯାଇଛି। କଟକ କେ-୯ ସଂସ୍ଥାର ରଞ୍ଜନ କୁମାର ବେହେରାଙ୍କୁ ଶ୍ରେଷ୍ଠ ଶ୍ୱାନ ପରିଚାଳକ ଏବଂ ସାଇବର କ୍ରାଇମ ଓ ବୈଷୟିକ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମାଲକାନଗିରି ଜିଲାର ସବ୍‌ଇନ୍ସପେକ୍ଟର ଶଶିଭୂଷଣ ମିଶ୍ରଙ୍କୁ ପୁରସ୍କୃତ କରାଯାଇଛି। ଗତବର୍ଷ ଲକ୍ଷ୍ନୌଠାରେ ଅନୁଷ୍ଠିତ ସର୍ବଭାରତୀୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତାରେ ଭୁବନେଶ୍ୱର ସହରାଞ୍ଚଳ ଜିଲାର ଇନ୍ସପେକ୍ଟର ବନୀତା ମହାରଣା ମେଡିକୋ ଲିଗାଲ ଟେଷ୍ଟରେ ସ୍ବର୍ଣ୍ଣପଦକ ହାସଲ କରିଥିବାରୁ ତାଙ୍କୁ ୧୦ହଜାର ଅର୍ଥରାଶିରେ ସମ୍ମାନିତ କରାଯାଇଛି। ଏଥିରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜିପି ସନ୍ତୋଷ କୁମାର ଉପାଧ୍ୟାୟ ସ୍ବାଗତ ଭାଷଣ ଓ ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଧନ୍ୟବାଦ ଦେଇଥିଲେ।

Share