୬୮,୯୮୦ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ଦିଆଗଲା ପ୍ରୋତ୍ସାହନ ରାଶି

ଭଦ୍ରକ ଅଫିସ,୧୧।୪: ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲାର ୬୮,୯୮୦ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ସହାୟତା ରାଶିକୁ ପ୍ରଶାସନ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ଘରେ ପହଞ୍ଚାଯାଉଛି। କରୋନା ମୁକାବିଲା ପାଇଁ ସେମାନଙ୍କୁ ଏହି ରାଶି ପ୍ରୋତ୍ସାହନ ଭାବେ ପ୍ରଦାନ କରାଯାଉଥିବା କୁହାଯାଇଛି। ଯେଉଁ ଶ୍ରମିକମାନେ ନିଜ ସ୍ଥାୟୀ ବାସଗୃହରେ ନାହାନ୍ତି, ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ଜିଲା ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି। ଭଦ୍ରକ ବ୍ଲକର ୮,୬୭୯ ହିତାଧିକାରୀ, ବାସୁଦେବପୁର ବ୍ଲକର ୧୧,୮୬୫, ଭଣ୍ଡାରିପୋଖରୀର ୧୦,୭୩୬, ବନ୍ତ ବ୍ଲକର ୬,୩୫୪, ଧାମନଗରର ୯,୭୨୦, ତିହିଡି ବ୍ଲକର ୪,୮୯୩, ଚାନ୍ଦବାଲି ବ୍ଳକର ୯,୧୪୨, ଭଦ୍ରକ ପୌରପାଳିକାରେ ୪,୩୧୦ଜଣଙ୍କୁ ଏହି ରାଶି ପ୍ରଦାନ କରାଯାଇଛି। ସେହିଭଳି ବାସୁଦେବପୁର ପୌରପାଳିକାରେ ୩,୨୮୧ ନିର୍ମାଣ ଶ୍ରମିକଙ୍କୁ ଏହି ରାଶି ପ୍ରଦାନ କରାଯିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଏନେଇ ଜିଲା ଶ୍ରମ ଅଧିକାରୀ କୁବେର ବେହେରା ଓ ଗ୍ରାମୀଣ ଶ୍ରମ ନୀରିକ୍ଷକ ସୁନନ୍ଦା ବିଶ୍ୱାଳ ସୂଚନା ଦେଇଛନ୍ତି।

Share