Categories: ଜାତୀୟ

୬୮ ଛାତ୍ରୀଙ୍କ ଅନ୍ତଃବସ୍ତ୍ର କାଢ଼ି ଯାଞ୍ଚକଲେ

ଭୁଜ୍‌,୧୫ା୨ : ଗୁଜରାଟର ଭୁଜ୍‌ସ୍ଥିତ ଶ୍ରୀ ସହଜାନନ୍ଦ ବାଳିକା କଲେଜରେ ୬୮ଜଣ ଛାତ୍ରୀଙ୍କୁ ଧର୍ମ ନାମରେ ଲଜ୍ଜାକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଛି। ସେମାନଙ୍କ ଅନ୍ତଃବସ୍ତ୍ର ବଳପୂର୍ବକ କାଢ଼ି କଲେଜ କର୍ତ୍ତୃପକ୍ଷ ମାସିକ ଋତୁସ୍ରାବ ହୋଇଛି କି ନାହିଁ ପରୀକ୍ଷା କରି ଦେଖିଥିଲେ। ଋତୁସ୍ରାବ ନେଇ ହଷ୍ଟେଲ ମୁଖ୍ୟ ଧାର୍ମିକ ରୀତିନୀତିକୁ ଉଲ୍ଲଂଘନ କରାଯାଇଥିବା କଲେଜ ଅଧ୍ୟକ୍ଷଙ୍କ ଆଗରେ ଅଭିଯୋଗ କରିବା ପରେ ଜଣକ ପରେ ଜଣେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର କାଢ଼ି ପରୀକ୍ଷା କରାଯାଇଥିଲା। ବଡ଼ ଆଶ୍ଚର୍ଯ୍ୟଜନକ ଭାବେ ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇ ନ ଥିବାବେଳେ ଏକ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଉଥିବା ଜଣାପଡ଼ିଛି। କଲେଜଟି କ୍ରାନ୍ତିଗୁରୁ ଶ୍ୟାମ୍‌ଜୀ କ୍ରିଷ୍ଣ ବର୍ମା କଚ୍ଛ ବିଶ୍ୱବିଦ୍ୟାଳୟ ଅଧୀନରେ ରହିଛି।
ଗଠନ କରାଯାଇଥିବା ଏହି କଲେଜ ସ୍ବାମୀ ନାରାୟଣ ମନ୍ଦିର ଅନୁଗାମୀଙ୍କ ଦ୍ୱାରା ଚାଲିଆସିଛି। ମାସିକ ଋତୁସ୍ରାବ ହୋଇଥିବା ବାଳିକା ଓ ମହିଳାମାନଙ୍କୁ ମନ୍ଦିର କିମ୍ବା ରୋଷଘର ଭିତରକୁ ପ୍ରବେଶ ନିଷେଧ କରାଯାଇଛି। ଏମିତିକି, ଏହା ଭିତରେ କଲେଜ କର୍ମଚାରୀଙ୍କୁ କୌଣସି ପ୍ରକାର ମିଳାମିଶା ଓ ସହବାସ ଲାଗି ବାରଣ କରାଯାଇଛି। ହେଲେ କଲେଜ କର୍ତ୍ତୃପକ୍ଷ ମଝିରେ ମଝିରେ ଶ୍ରେଣୀରୁ ଛାତ୍ରୀଙ୍କୁ ଜୋର୍‌ ଜବରଦସ୍ତ ଆଣି ଧାଡ଼ିରେ ଠିଆ କରିବା ସହ ଜଣକ ପରେ ଜଣକୁ ଏକ କୋଠରିକୁ ନେଇ ସେମାନଙ୍କ ଅନ୍ତଃବସ୍ତ୍ର କାଢ଼ି ଏଭଳି ଦେଖିଥାନ୍ତି। କଲେଜ ଅଧ୍ୟକ୍ଷ ଛାତ୍ରୀଙ୍କୁ ଖରାପ ବ୍ୟବହାର ଦେଖାନ୍ତି ବୋଲି କେତେକ ଛାତ୍ରୀ ଅଭିଯୋଗ କରିଛନ୍ତି। ହଷ୍ଟେଲ ଆଚାର୍ଯ୍ୟ, ଟ୍ରଷ୍ଟି ସଦସ୍ୟମାନେ ମଧ୍ୟ କଲେଜ ଛାତ୍ରୀଙ୍କୁ ଦୁବର୍‌ୟବହାର ଦେଖାଇଥାନ୍ତି। ମାସିକ ଋତୁସ୍ରାବ ହେଲେ ଛାତ୍ରୀକୁ ଏଠାରେ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଇଥାଏ। ମୁହଁ ଖୋଲିଲେ କିମ୍ବା ଥାନାରେ ଅଭିଯୋଗ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ କଲେଜରୁ ବିଦା କରାଯିବ ବୋଲି ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରବୀଣ ପିଣ୍ଡୋରିଆ ଧମକ ଦେଉଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏମିତି କିଛି କଲେଜରେ ହେଉନାହିଁ ବୋଲି ସେ ଛାତ୍ରୀଙ୍କଠାରୁ ଲିଖିତ ଭାବେ ଦସ୍ତଖତ ନେଇଥିବା ଅଭିଯୋଗ କରାଯାଇଛି। ଏହି ଲଜ୍ଜାକର ଘଟଣା ଲୋକଲୋଚନକୁ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀ ଦର୍ଶନ ଢୋଲକିୟା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ବିଭିନ୍ନ ମହିଳା ସଙ୍ଗଠନ ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

Share