୬୯୨୩ କୋଟି ଟଙ୍କାର ପୁଞ୍ଜିନିବେଶକୁ ଅନୁମୋଦନ

ଭୁବନେଶ୍ୱର,୧।୩(ବ୍ୟୁରୋ): ରାଜ୍ୟ ସରକାର ୬୯୨୩.୨୬ କୋଟି ଟଙ୍କାର ପୁଞ୍ଜିନିବେଶକୁ ଶନିବାର ଅନୁମୋଦନ କରିଛନ୍ତି। ୩ ପ୍ରକଳ୍ପ ମାଧ୍ୟମରେ ଏହି ନିବେଶ ଦ୍ୱାରା ୪୬୩୮ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ବସିଥିବା ୨୨ତମ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହାକୁ ଅନୁମୋଦନ କରିଛି। ଏହି କମିଟି ତ୍ରିବେଣୀ ଆର୍ଥମୁଭର ପ୍ରାଃ ଲିଃର ବାର୍ଷିକ ୩୦ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ପ୍ଲାଣ୍ଟକୁ ମଞ୍ଜୁରୀ ଦେଇଛି। କେନ୍ଦୁଝର ଜିଲାର ଦେଓଝରଠାରେ ଦୁଇ ପର୍ଯ୍ୟାୟରେ ଏହାର ନିର୍ମାଣ କରାଯିବ। ଏହି ପ୍ରକଳ୍ପରେ ୧୪୨୬.୭୫ କୋଟି ଟଙ୍କାର ପୁଞ୍ଜିନିବେଶ ଦ୍ୱାରା ୮୮୪ଜଣଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖାଯାଇଛି। ଅନୁରୂପ ଭାବେ ଏହି କମ୍ପାନୀର ଭିତରଗଡ ସିଟିରେ ପେଲେଟ ପ୍ଲାଣ୍ଟକୁ ମଧ୍ୟ ସମ୍ପ୍ରସାରଣ କରାଯିବ। ୩ ପର୍ଯ୍ୟାୟରେ ବାର୍ଷିକ ୨୪ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ନିର୍ମିତ ହେବ। ଏହି ପ୍ରକଳ୍ପରେ ୩୩୯୬.୫୧ କୋଟି ଟଙ୍କା ନିବେଶରେ ଅତିରିକ୍ତ ୯୫୪ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଅନୁରୂପ ଭାବେ ଓଡିଶା ମେଟାଲିକ୍ସ ପ୍ରାଃ ଲିଃରେ ବାର୍ଷିକ ୧.୨ ମିଲିୟନ ଟନ୍‌ ଇଣ୍ଟିଗ୍ରେଟେଡ୍‌ ଷ୍ଟିଲ୍‌ ପ୍ଲାଣ୍ଟ ସହ ୨୨୫ ମେଗାୱାଟ ସିପିପି କେନ୍ଦୁଝର ଜିଲାରେ ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପରେ ୨୧୦୦ କୋଟି ଟଙ୍କାର ନିବେଶରେ ୨୮୦୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ ଲକ୍ଷ୍ୟ ରଖାଯାଇଛି।

Share