୬ ଆନ୍ତଃ ରାଜ୍ୟ ଡକାୟତ ଗିରଫ: ବିପୁଳ ପରିମାଣର ମାରଣାସ୍ତ୍ର ଜବତ

ପାଟଣା,୨୫।୯(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପୋଲିସ ମଙ୍ଗଳବାର ରାତିରେ ଏକ ଆନ୍ତଃ ରାଜ୍ୟ ଡକାୟତି ଗ୍ୟାଙ୍ଗର ୬ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି। ସେମାନେ ହେଲେ ଉକ୍ତ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ଘଟଗାଁ ଥାନା ଅଞ୍ଚଳର ଗୋବିନ୍ଦ ଗିରି, ଝାଡ଼ଖଣ୍ଡ ମାଝି ଗାଁ ଥାନାର ମାନିକର ନାଏକ, ତୁରୁମୁଙ୍ଗା ଥାନାର ରାହୁଲ ନାଏକ, ଟମକା ଥାନାର ସୁକାନ୍ତ ପୃଷ୍ଟି, ଘଷିପୁରା ଥାନାର ଅମୂଲ୍ୟ ପାତ୍ର ଓ ବିଷ୍ଣୁ ସେନାପତି। ସେମାନଙ୍କ ନିକଟରୁ ୧୬ ଚୋରା ବାଇକ, ୩ ଦେଶୀ ପିସ୍ତଲ, ୧୦ ଅଫୁଟା ଗୁଳି, ୧ ଫାର୍ସା,୧ ଭୁଜାଲି, ୬ ମୋବାଇଲ ଫୋନ୍‌ ଜବତ କରାଯାଇଛି।
ପ୍ରକାଶ ଯେ, ଏହି ଡକାୟତି ଦଳ ତୁରୁମୁଙ୍ଗା ଥାନା ବାଉଁଶୁଳୀ ରିଜର୍ଭ ଫରେଷ୍ଟରେ ମଙ୍ଗଳବାର ରାତିରେ ଏକ ବଡ଼ଧରଣର ଡକାୟତି କରିବାକୁ ଯୋଜନା କରୁଥିଲେ। ବିଶେଷ ସୂତ୍ରରେ ଖବର ପାଇ ତୁରୁମୁଙ୍ଗା ଥାନା ଅଧିକାରୀ ଅମିତାଭ ଦାଶ, ଏସ୍‌ଆଇ ଗୁରୁପ୍ରସାଦ ଦେଓ ଓ କୈଳାସ ଚନ୍ଦ୍ର ମହାନ୍ତ ସଦଳବଳ ଚଢ଼ାଉକରି ସେମାନଙ୍କୁ ଗିରଫ କରିଛନ୍ତି। ଉକ୍ତ ଅଭିଯୁକ୍ତମାନେ ବିଭିନ୍ନ ସମୟରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ଡକାୟତି କରୁଥିଲେ। ଏମାନେ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀରୁ ଅର୍ଥ ଉଠାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିବା ଚମ୍ପୁଆ ଏସ୍‌ଡିପିଓ ହରିହର ପାଣି ସୂଚନା ଦେଇଛନ୍ତି। ଏ ନେଇ ପୋଲିସ କେସ୍‌ ନଂ. ୯୯/୧୯ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ବୁଧବାର କୋର୍ଟଚାଲାଣା କରିଥିବା ଜଣାପଡ଼ିଛି।

Share