Categories: ଖେଳ

୬ ଉଇକେଟ ନେବା ପରେ ଧୋନୀଙ୍କୁ ମନେ ପକାଇଲେ ଦୀପକ ଚହର

ନାଗପୁର, ୧୧।୧୧:ଦୀପକ ଚହରଙ୍କ ମ୍ୟାଜିକ ସ୍ପେଲ ଏବଂ ହ୍ୟାଟ୍ରିକ ସଫଳତା ବଳରେ ଭାରତ ରବିବାର ଅନୁଷ୍ଠିତ ଟି୨୦ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୩୦ ରନରେ ହରାଇ ଦେଇଛି। ଏହି ମ୍ୟାଚରେ ଦୀପକ ମାତ୍ର ୭ ରନ ଦେଇ ୬ ଉଇକେଟ ନେଇଥିଲେ। ଦୀପକଙ୍କ ଏହି ସଫଳତା ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା। ମ୍ୟାଚ୍‌ ପରେ ଦୀପକ ୟୁଜବେନ୍ଦ୍ର ଚହଲଙ୍କ ‘ଚହଲ ଟିଭି’କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ମହେନ୍ଦ୍ର ସିଂ ଧୋନୀଙ୍କ ଯୋଗୁ ମୁଁ ଆଜି ଏହି ସଫଳତା ପାଇଛି। ଜୀବନରେ ୫ ଉଇକେଟ୍‌ ସ୍ବପ୍ନ ଦେଖିଥିଲି, କିନ୍ତୁ ଏତେ କମ୍‌ ରନ୍‌ ଦେଇ ୬ ଉଇକେଟ୍‌ ନେବା କଥା ଚିନ୍ତା କରି ନ ଥିଲି ବୋଲି ସ କହିଛନ୍ତି। ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳିବା ମୋ ପାଇଁ ବେଶ୍‌ ଲାଭଦାୟକ ଥିଲା। ଧୋନୀ ଭାଇଙ୍କ ଟିପ୍ସ ଆଜି କାମରେ ଆସିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଦୀପକ ୭ ରନ ଦେଇ ୬ ଉଇକେଟ ନେବା ଅନ୍ତର୍ଜାତୀୟ ଟି୨୦ରେ ସର୍ବଶ୍ରେଷ୍ଠ ବୋଲିଂ ସଫଳତା। ପୂର୍ବରୁ ଶ୍ରୀଲଙ୍କାର ଅଜନ୍ଥା ମେଣ୍ଡିସ ୨୦୧୨ରେ ହାମ୍ବନତୋଟାଠାରେ ଜିମ୍ବାଓ୍ବେ ବିପକ୍ଷରେ ୮ ରନ ବିନିମୟରେ ୬ ଉଇକେଟ ନେଇ ରେକର୍ଡର ଅଧିକାରୀ ଥିଲେ। ଦୀପକ ଯେ କେବଳ ଶ୍ରେଷ୍ଠ ବୋଲିଂ କରିଥିଲେ ତା’ ନୁହେଁ ଭାରତର ପ୍ରଥମ ବୋଲର ଭାବେ ଟି୨୦ରେ ହ୍ୟାଟ୍ରିକ ମଧ୍ୟ ଅର୍ଜନ କରିଥିଲେ। ସେ ନିଜ ୩ୟ ଓଭରର ଶେଷ ବଲରେ ଶାଫିଉଲ ଇସଲାମଙ୍କୁ ଏବଂ ୪ର୍ଥ ଓଭରର ପ୍ରଥମ ବଲରେ ମୁସ୍ତାଫିଜୁର ରହମନ ଓ ଦ୍ୱିତୀୟ ବଲରେ ଅମିନୁଲ ଇସଲାମଙ୍କୁ ଆଉଟ କରି ହ୍ୟାଟ୍ରିକ ପୂରଣ କରିଥିଲେ।

Share