Categories: ବାଣିଜ୍ୟ

୬ କୋଟି ସଦସ୍ୟଙ୍କୁ ପୂଜା ଭେଟି;ଇପିଏଫ୍‌ ସୁଧହାର ୮.୬୫%କୁ ବୃଦ୍ଧି

ନୂଆଦିଲ୍ଲୀ,୧୮-୯: କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ର ୬ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟଙ୍କୁ କେନ୍ଦ୍ର ସରକାର ପୂଜା ଭେଟି ଦେଇଛନ୍ତି। ପାର୍ବଣ ଋତୁ ଆରମ୍ଭ ହେଉ ହେଉ ସରକାର ପ୍ରଭିଡେଣ୍ଟ ଫଣ୍ଡ ବା ଭବିଷ୍ୟନିଧି ପାଣ୍ଠିର ସୁଧ ହାର ବୃଦ୍ଧି କରିଛନ୍ତି। ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ଇପିଏଫ୍‌ ସୁଧ ହାର ୮.୬୫% ଧାର୍ଯ୍ୟ କରାଯାଇଛି। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ମଙ୍ଗଳବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଇପିଏଫ୍‌ଓ ଲାଗି ଚୂଡ଼ାନ୍ତ ନିଷ୍ପତ୍ତି ନେଉଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଟ୍ରଷ୍ଟିଜ ଗତବର୍ଷ ଲାଗି ଚଳିତବର୍ଷ ଫେବୃୟାରୀରେ ସୁଧ ହାରକୁ ୮.୬୫%ରେ ରଖିବାକୁ ଅନୁମୋଦନ କରିଥିଲେ। ଏହାପରେ ପ୍ରସ୍ତାବକୁ ମଞ୍ଜୁରୀ ଲାଗି ଅର୍ଥ ମନ୍ତ୍ରଣାଳୟକୁ ପଠାଇ ଦିଆଯାଇଥିଲା। ଗଙ୍ଗଓ୍ବାର ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ସୁଧ ହାର ବୃଦ୍ଧି ପାଇଥିବା ସୂଚନା ଦେଇଥିଲେ। ବର୍ତ୍ତମାନ ଇପିଏଫ୍‌ଓ ଖାତାରେ ୮.୫୫% ସୁଧ ହାର ମିଳୁଛି। ଏହି ହାର ୨୦୧୭-୧୮ରୁ ଲାଗୁ ହୋଇଛି। ସେବେଠାରୁ ସୁଧ ହାର ଅପରିବର୍ତ୍ତିତ ରହିଛି।

Share