୬ ଜିଲାକୁ ଛାଡ଼ି ସବୁଠି ମୌସୁମୀ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ରାଜ୍ୟର ଅଧିକାଂଶ ଜିଲାରେ ପ୍ରବେଶ କରିଛି। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କେତେକ ଅଞ୍ଚଳକୁ ବାଦ୍‌ ଦେଲେ ଅନ୍ୟ ସବୁଠି ମୌମୁସୀ ସକ୍ରିୟ ହେଉଛି। ପାଗ ଅନୁକୂଳ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଆହୁରି ସକ୍ରିୟ ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ଗଜପତି, ରାୟଗଡ଼ା ଏବଂ ଗଞ୍ଜାମ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହି ସମୟରେ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଅନୁଗୋଳ ଓ ବାଲେଶ୍ୱରର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅପରପକ୍ଷେ ମୌସୁମୀ ପ୍ରବେଶ କରିବା ସତ୍ତ୍ୱେ ରାଜ୍ୟରେ ଭଲ ବର୍ଷା ହେଉନାହିଁ। ଲଘୁଚାପ ଦୁର୍ବଳ ରହୁଥିବାରୁ ଘୂର୍ଣ୍ଣିବଳୟ ଯୋଗୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ତେବେ ଆସନ୍ତା ୧୭ ତାରିଖରୁ ରାଜ୍ୟରେ ବର୍ଷା ବଢିବ। ୧୭ରୁ ୨୧ ଯାଏ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୪୮ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ୨୨.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି କଟକରେ ୧୪.୮, ଭୁବନେଶ୍ୱରରେ ୧୧.୯, ବାରିପଦାରେ ୩୭, ଝାରସୁଗୁଡାରେ ୨୭, କେନ୍ଦୁଝରରେ ୭.୪, ସମ୍ବଲପୁରରେ ୯.୬, ମାଲକାନଗିରିରେ ୫୪.୨, ଟିଟିଲାଗଡ଼ରେ ୨୯, ପାରଳାଖେମୁଣ୍ଡିରେ ୬୫, ରାୟଗଡ଼ାରେ ୧୩, ଛତ୍ରପୁରରେ ୧୩ ଏବଂ ଦାରିଙ୍ଗବାଡିରେ ୩୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

Share