୬ ଜିଲାରେ ଘନ କୁହୁଡି :୯ ଯାଏ ବର୍ଷା

ଭୁବନେଶ୍ୱର,୪ା୨(ବ୍ୟୁରୋ): ବଙ୍ଗୋପସାଗରରେ ଏକ ଗୁରୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୯ ତାରିଖ ଯାଏ ରାଜ୍ୟର ଅଧିକାଂଶ ଭାଗରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି। ୮ ଓ ୯ ତାରିଖରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଉତ୍ତର ଓଡିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ,ରାୟଗଡା, ବୌଦ୍ଧ, ସୋନପୁର, ବରଗଡ, ସମ୍ବଲପୁର, ଅନୁଗୋଳ, କୋରାପୁଟ, ବଲାଙ୍ଗୀର, ନୂଆପଡା, କନ୍ଧମାଳ ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର ଆଦି ଜିଲାର କେତେକ ସ୍ଥାନରେ ଘନ କୁହୁଡି ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୮ ତାରିଖରେ ସୁନ୍ଦରଗଡ, ମୟୂରଭଞ୍ଜ, ସମ୍ବଲପୁର. ଦେବଗଡ, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ , ଯାଜପୁର, ଝାରସୁଗୁଡା, କେନ୍ଦୁଝର ଜିଲାର ଅଧିକାଂଶ ସ୍ଥାନରେ ଏବଂ କଟକ, ଖୋର୍ଦ୍ଧା, ପୁରୀ, ବୌଦ୍ଧ ଆଦି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଫେବୃୟାରୀ ୯ ତାରିଖରେ ମଧ୍ୟ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ପାଗ ମେଘୁଆ ରହୁଥିବାରୁ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟୁ ନାହିଁ। ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଝାରସୁଗୁଡାରେ ୧୧.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Share