୬ ଦଫା ଦାବିରେ ଓ୍ବାର୍ଡ ସଭ୍ୟଙ୍କ ଅନଶନ, ୧୧ ଦିନ ବିତିବା ସତ୍ତ୍ୱେ ପୂରଣ ହେଉନି ଦାବି

ହାଟଡିହୀ, ୭ା୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବିନେଇ ୱାର୍ଡ଼ ସଭ୍ୟମାନେ ଅନଶନରେ ବସିଛନ୍ତି। ଦୁର୍ନୀତିର ଭିଜିଲାନ୍ସ ତଦନ୍ତ, ସରପଞ୍ଚ ଓ ପିଇଓଙ୍କୁ ବହିଷ୍କାର ସହ ଗିରଫ, କାର୍ଯ୍ୟକରି ପାଉଣା ମିଳୁ ନଥିବା, ପଞ୍ଚାୟତ ଅନୁଦାନକୁ କାର୍ଯ୍ୟ ନ କରି ଉଠାଇ ନେବା, ହେରଫେର ହୋଇଥିବା ଟଙ୍କା ପଞ୍ଚାୟତ ପାଣ୍ଠିକୁ ଫେରାଇ ଆଣିବା ପ୍ରମ୍ମୁଖ ଦାବିରେ ଅନଶନ ହେଉଛି। ଅନଶନକୁ ୧୧ଦିନ ପୂରିସାରଥିବା ବେଳେ ପ୍ରଶାସନିକସ୍ତରରେ ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯାଇ ନ ଥିବା ଯୋଗୁ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଅନଶନକାରୀ ଚଳିତମାସ ୧୧ତାରିଖରୁ ଆମରଣ ଅନଶନରେ ବସିବେ ବୋଲି ନିଷ୍ପତ୍ତି ନେଇ ପ୍ରଶାସନକୁ ଅବଗତ କରାଇଛନ୍ତି। ମଝିରେ ବ୍ଲକ ଜିପିଓ ନବୀନ ଚନ୍ଦ୍ର ନାୟକ ଅନଶନସ୍ଥଳକୁ ଯାଇ ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଅନଶନକାରୀ ଦାବି ପୂରଣ ନ ହେଲେ ଅନଶନରୁ ଉଠିବେ ନାହଁି ବୋଲି ଜିଦ୍‌ ଧରି ବସିଥିଲେ। ଅନଶନ ଯୋଗୁ ସମ୍ପ୍ରତି ହିତାଧିକାରୀଙ୍କୁ ଯୋଗାଣ ସାମଗ୍ରୀ ବଣ୍ଟନ ହୋଇପାରୁନାହିଁ। ଏଥିସହ କାନପୁର ଗ୍ରାମର ହିତାଧିକାରୀମାନେ ପ୍ରାୟ ୪ମାସ ହେବ ଯୋଗାଣ ସାମଗ୍ରୀ ପାଇ ନ ଥିବା ମାନବାଧିକାର କର୍ମୀ ବିଶ୍ୱରଞ୍ଜନ ପାଣିଗ୍ରାହୀ କହିଛନ୍ତି। ଜିପିଓ ନବୀନ ଚନ୍ଦ୍ର ନାୟକ କହିଛନ୍ତି ଯେ, ଅନଶନକାରୀଙ୍କ ଦାବି ଜିଲା ପ୍ରଶାସନକୁ ଜଣାଯାଇଛି। ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ।