୬ ଦୋକାନରୁ ସିରିଜ ଚୋରି

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ୬ଟି ଦୋକାନରେ ଚୋରି ହୋଇଛି। ଚକେଇଶିଆଣୀ ଅଞ୍ଚଳରେ ୩ଟି ଦୋକାନ ଏବଂ ଇଡ୍‌କୋ ମାର୍କେଟରେ ଥିବା ୩ଟି ଦୋକାନରେ ଚୋରି ନେଇ ଥାନାରେ ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ଚକେଇଶିଆଣୀ ଅଞ୍ଚଳରେ ଅବଦୁଲ ଅଲ୍ଲୀଙ୍କ ଗ୍ୟାରେଜରୁ ପ୍ରାୟ ୧୫ ହଜାର ଟଙ୍କାର ବ୍ୟାଟେରି ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଚୋରି ହୋଇଛି। ରାଜେଶ ସାମଲଙ୍କ ମୋବଇଲ ଦୋକାନରୁ ପ୍ରାୟ ୩୦ହଜାର ଟଙ୍କାର ମୋବାଇଲ ଫୋନ୍‌ ଚୋରାଇ ନିଆଯାଇଛି। ସେହିପରି ଲକ୍ଷ୍ମୀଧର ବେହେରାଙ୍କ ଇଲେକ୍ଟ୍ରିକାଲ ଦୋକାନରୁ ୨୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର କପର ତାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି। ସେହିପରି ଇଡକୋ ମାର୍କେଟରୁ ଏକ ଟେଲରିଂ ଦୋକାନ, ମେଡିସିନ ଦୋକାନ ଓ ମୋବାଇଲ ଫୋନ୍‌ ଦୋକାନରୁ କବାଟ ଭାଙ୍ଗି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏ ନେଇ ତଦନ୍ତ ଜାରି ରଖିଛି।

Share