୬ ପର୍ଯ୍ୟନ୍ତ ବର୍ଷା, ୯ରୁ ବଢ଼ିବ ତାତି

ଭୁବନେଶ୍ୱର, ୩ା୩(ବ୍ୟୁରୋ): ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଯୋଗୁ ୩ରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ସମ୍ଭାବନା ରହିଛି। ୩ ତାରିଖ ଦିନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ନୂଆପଡ଼ା, ବରଗଡ଼ ଆଦି ଜିଲାରେ ହାଲ୍‌କା ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ସେହିପରି ୪ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ସ୍ବଳ୍ପ ଧରଣର ବର୍ଷା ହେବ। ୫ ଓ ୬ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ତିନିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହିତ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ୪ ତାରିଖ ଦିନ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କନ୍ଧମାଳ, ନୟାଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ହେବ। ୫ ତାରିଖ ଦିନ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୋଳ, କନ୍ଧମାଳ, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ମୟ୍‌ୂରଭଞ୍ଜ, ଢେଙ୍କାନାଳ ଓ କଟକ ଏବଂ ୬ ତାରିଖରେ କନ୍ଧମାଳ, ନୟାଗଡ଼, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଢେଙ୍କାନାଳ ଆଦି ଜିଲାରେ ବଜ୍ରପାତ ହେବ। ଏହି ତିନିଦିନ ଉକ୍ତ ଜିଲାଗୁଡ଼ିକୁ ବଜ୍ରପାତ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ, ୯ରୁ ଭୁବନେଶ୍ବରରେ ପାଗ ବଦଳିବା ସହ ତାପମାତ୍ରା ବଢ଼ିବ। ୯ରୁ ୧୨ ମଧ୍ୟରେ ସର୍ବାଧିକ ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି।

Share