Categories: ଖେଳ

୬ ବର୍ଷୀୟା ପାକିସ୍ତାନ ଝିଅକୁ ସାହାଯ୍ୟର ହାତ ବଢ଼ାଇଲେ ଗମ୍ଭୀର

ନୂଆଦିଲ୍ଲୀ,୨୦।୧୦- ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀରଙ୍କ ହସ୍ତକ୍ଷେପ ପରେ ଜଣେ ୬ ବର୍ଷୀୟା ପାକିସ୍ତାନ ଝିଅର ମେଡିକାଲ ଭିଜାକୁ ମଞ୍ଜୁରି ମିଳିଛି। ଏ ସମ୍ପର୍କରେ ଗମ୍ଭୀର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଯୋଗାଯୋଗ କରିଥିଲେ। ପରେ ଓମାଇମା ଅଲି ଓ ତାଙ୍କ ମା’ ବାପାଙ୍କୁ ଭିଜା ମିଳିଛି। ପାକିସ୍ତାନ ଝିଅକୁ ମେଡିକାଲ ଭିଜା ପ୍ରଦାନ ପାଇଁ ଗମ୍ଭୀର ଚଳିତ ମାସ ୧ ତାରିଖ ଦିନ ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ଏ ଘଟଣା ସମ୍ପର୍କରେ ପୂର୍ବ ଦିଲ୍ଲୀ ଏମ୍‌ପି ଗମ୍ଭୀର କହିଛନ୍ତି, ପୂର୍ବତନ ପାକିସ୍ତାନ କ୍ରିକେଟର ମହମ୍ମଦ ୟୁସୁଫ ମୋତେ ଫୋନ କରି ଉକ୍ତ ଝିଅର ଭିଜା ପାଇଁ ଅନୁରୋଧ କରିଥିଲେ। ପୂର୍ବରୁ ସେ ନୋଏଡାରେ ଚିକିତ୍ସିତ ହେଉଥିଲେ। ଏବେ ଓମାଇମାକୁ ଯଥାଶୀଘ୍ର ଓପନ ହାର୍ଟ ସର୍ଜରି ଦରକାର। ଏଣୁ ତାଙ୍କୁ ତୁରନ୍ତ ମେଡିକାଲ ଭିଜାର ଆବଶ୍ୟକତା ରହିଛି। ବୈଦେଶିକ ମନ୍ତ୍ରୀ ଅନୁରୋଧ ଗ୍ରହଣ କରିଥିବାରୁ ମୁଁ ଧନ୍ୟବାଦ ଦେଉଛି। ଓମାଇମା ଅଟାରି ଦେଇ ବସ୍‌ ଯୋଗେ ଭାରତ ଆସିବେ। ଯଦି ୬ ବର୍ଷୀୟା ଜଣେ ଝିଅ ଭାରତରେ ଚିକିତ୍ସିତ ହୋଇପାରିବ, ଏହାଠାରୁ ଭଲ କ’ଣ ହେବ?

Share